ରାମମନ୍ଦିର ଭୂମିପୂଜାକୁ ନେଇ ରାଜନୀତି ତେଜିଲା, ଏ ପ୍ରସଙ୍ଗରେ ସରକାରଙ୍କୁ ଶିବସେନାର ସମର୍ଥନ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ଅଗଷ୍ଟ ୫ରେ ଭୂମି ପୂଜା କରିବାକୁ ସ୍ଥିର କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରାଯାଇଛି । କିନ୍ତୁ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।
୫ ତାରିଖରେ ଏହି ଭୂମିପୂଜା ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ଦିଆଯିବା ପରେ ତାହାକୁ ଏନସିପି ମୁଖ୍ୟ ଶରଦ ପାଓ୍ଵାର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାମନ୍ଦିର ନିର୍ମାଣ କରିଦେଲେ ଦେଶରୁ କରୋନା ହଟିଯିବ ବୋଲି କେତେକ ଲୋକ ଭାବୁଛନ୍ତି । ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ସମର୍ଥନ କରିଛନ୍ତି ।

ତେବେ ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଭିଏଚପି ପକ୍ଷରୁ କୁହାଯାଇଛି ଯେ ରାମମନ୍ଦିର ନିର୍ମାଣ କରିଦେଲେ କରୋନା ହଟିଯିବ ବୋଲି କେହି ଦାବି କରିନାହିଁ । ଦେଶରୁ କରୋନାର ମୁକାବିଲା କରିବାକୁ ମୋଦୀ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ କରୋନା ସହିତ ଦେଶର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବି ଜାରି ରହିବା ଉଚିତ । ଦେଶରୁ କରୋନା ହଟିବାକୁ ରାମ ମନ୍ଦିର ଆନ୍ଦୋଳନ ହୋଇନଥିଲା ।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିର ସହଯୋଗୀ ଶିବସେନା କିନ୍ତୁ ରାମ ମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି ।

ସମ୍ବନ୍ଧିତ ଖବର