ଶାକାହାରୀ ଓ ମାଂସାହାରୀ ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ପ୍ରବେଶ ଦ୍ୱାର, ବାସନକୁସନ ଓ ବେସିନ୍‌ କରି ଅଡୁଆରେ ମାଡ୍ରାସ ଆଇଆଇଟି 

ଚେନ୍ନାଇ: କଲେଜ ପରିସର ମଧ୍ୟରେ ଥିବା ମେସ୍‌ରେ ଶାକାହାରୀ ଓ ମାଂସାହାରୀ ଛାତ୍ରଛାତ୍ରୀଙ୍କ ସକାଶେ ଭିନ୍ନ ପ୍ରବେଶ ଦ୍ୱାର, ବାସନ ଓ ବେସିନ୍‌ କରିବା ନେଇ ଆଇଆଇଟି ମାଡ୍ରାସରେ ବିବାଦ ଉପୁଜିଛି। ଏହା ଏବେ ମେସ୍‌ ପରିସର ମଧ୍ୟରେ ଅଶାନ୍ତି ସୃଷ୍ଟି କରିଛି। ଏପରି ନିୟମ କରିବା ଦ୍ୱାରା ଗୋଟିଏ ଶ୍ରେଣୀର ଛାତ୍ରଙ୍କ ସକାଶେ ଅନ୍ୟ ଶ୍ରେଣୀର ଛାତ୍ର ଯେପରି ‘ଅସ୍ପୃଶ୍ୟ’ ପାଲଟି ଯାଉଛନ୍ତି ବୋଲି ଅଭିଯୋଗ ଉଠିଛି । ଫଳରେ ଆଇଆଇଟି ପରିସର ମଧ୍ୟରେ ଏକ ଛୁଆଁ ଅଛୁଆଁ ଭେଦ ଭାବ ସୃଷ୍ଟି ହେଉଛି।

ଆଇଆଇଟି ମାଡ୍ରାସର ଆମ୍ବେଦକର ପେରିୟର୍‌ ଷ୍ଟଡି ସର୍କଲ ନାମକ ଏକ ଛାତ୍ର ସଂଗଠନ ନୂଆ କରି ନିୟମ କାର୍ଯ୍ୟକାରୀ ହୋଇଥିବା ହିମାଳୟ ମେସ୍‌ ବିଲ୍ଡିଂର ଦ୍ୱିତୀୟ ମହଲାରେ ଲଗାଯାଇଥିବା ପୋଷ୍ଟରର ଫଟୋକୁ ସେୟାର୍‌ କରିଛନ୍ତି।

ପୂର୍ବରୁ ଉଚ୍ଚ ଜାତିର ଭାରତୀୟ ପରିବାରରେ ଏପରି ନିୟମ ଦେଖିବାକୁ ମିଳୁଥିଲା। ଉଚ୍ଚ ଜାତିର ଲୋକଙ୍କ ଘରେ ଦୁଇଟି ଦ୍ୱାର ରହୁଥିଲା। ଗୋଟିଏ ଦ୍ୱାର ସେମାନଙ୍କ ସ୍ତରର ଲୋକଙ୍କ ପାଇଁ ଓ ଅନ୍ୟଟି ଅଛୁଆଁ ବର୍ଗର ଲୋକଙ୍କ ପାଇଁ ରହୁଥିଲା। ଆଇଆଇଟି ମାଡ୍ରାସ ଏବେ ସେହି ନିୟମ ପାଳନ କରୁଛି ବୋଲି ଅଭିଯୋଗ ହୋଇଛି।

ଏହି ୩ ମହଲା ବିଶିଷ୍ଟ ବିଲ୍ଡିଂରେ ସମୁଦାୟ ୬ଟି ମେସ୍‌ ଚାଲୁଥିବା ସୂଚନା ରହିଛି। ଛୁଟି ହେତୁ ଅନେକ ପିଲା ଘରକୁ ଯାଇଥିବା ସମୟରେ ପ୍ରାୟ ୪ଟି ମେସ୍‌ରେ ଏହି ନିୟମ କାର୍ଯ୍ୟକାରୀ ହୋଇ ଯାଇଛି। ମେସ୍‌ର ଆମିଷ ଖାଦ୍ୟ ତାଲିକାରେ ଚିକେନ୍‌, ଅଣ୍ଡା ରହିଥିବା ସୂଚନା ରହିଛି।

ଯଦିଓ ଅନେକ ଦିନ ହେବ ମେସ୍‌କୁ ପୂରା ଶାକାହାରୀ କରି ଦିଆଯିବ ବୋଲି ପ୍ରସ୍ତାବ ରହିଥିଲା, ତଥାପି କୌଣସି ନିଷ୍ପତ୍ତି ପୂର୍ବରୁ ଛାତ୍ରମାନଙ୍କୁ ସୂଚୀତ କରିବା ଜରୁରୀ। ମାତ୍ର ରାତାରାତି କାନ୍ଥରେ ପୋଷ୍ଟର୍‌ ଲଗାଯାଇଛି ବୋଲି ପୂର୍ବତନ ଛାତ୍ର ସଂସଦ ଅଭିଯୋଗ ଆଣିଛି।

 

ସମ୍ବନ୍ଧିତ ଖବର