ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ସମାନ ନାଗରିକ ସଂହିତା ନାମକ ଏକ ବ୍ୟକ୍ତିଗତ ବିଧେୟକ ବା ବିଲ୍ ଆଗତ ହୋଇଛି । ବିରୋଧୀଦଳଙ୍କ ପ୍ରବଳ ବିରୋଧ ସତ୍ତ୍ବେ ବିଜେପି ସାଂସଦ କିରୋଡ଼ିଲାଲ ମୀନାଙ୍କ ଦ୍ବାରା ଏହି ବିଧେୟକକୁ ଆଗତ କରାଯାଇଛି ।

Advertisment

ବିରୋଧୀ ମାନେ ଏହାକୁ ଅଟକାଇବାକୁ ଦାବି କରିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଭୋଟିଂ କରାଇଥିଲେ । ଯେଉଁଥିରେ ବିଧେୟକର ବିରୋଧରେ ୨୩ ଟି ଓ ସପକ୍ଷରେ ୬୩ଟି ଭୋଟ ପଡ଼ିଥିଲା । ଫଳରେ ଏହି ବିଧେୟକକୁ ଉପସ୍ଥାପନ ପାଇଁ ଅନୁମତି ଦିଆଯାଇଥିଲା ।  ବିଲକୁ ବିରୋଧ କରି ବିରୋଧୀ ଦଳମାନେ କହିଥିଲେ ଯେ ଏହା ଦେଶର ବିବିଧତାର ପରିପନ୍ଥୀ ଓ ଏହା ଦେଶକୁ ଖଣ୍ଡ ଖଣ୍ଡ କରିଦେବ ।

ତେବେ ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଯୁକ୍ତି ବାଢିଥିଲେ ଯେ ଏକ ପ୍ରସଙ୍ଗ ଉଠାଇବା ହେଉଛି ଜଣେ ସଦସ୍ୟଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର । ଏଣୁ ଏହି ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେଉ । ବିଲକୁ ସମାଲୋଚନା କରାଯିବା ଠିକ ନୁହେଁ ।

ଲ’ କମିସନ ରିପୋର୍ଟକୁ ଉଦ୍ଧାର କରି ସିପିଆଇ ସାଂସଦ ଜନ ବ୍ରିଟାସ କହିଥିଲେ ଯେ ଦେଶରେ ସମାନ ନାଗରିକ ସଂହିତାର ଆବଶ୍ୟକତା ନାହିଁ ।  ଡିଏମକେର ତିରୁଚି ଶିବା କହିଥିଲେ ଯେ ଏହା ଧର୍ମନିରପେକ୍ଷତାର ପରିପନ୍ଥୀ । ସମାଜବାଦୀ ପାର୍ଟି ସାଂସଦ ଆରଜି ବର୍ମା କହିଥିଲେ ଯେ ଏହା ସମ୍ବିଧାନର ବିରୋଧୀ ।

ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ ଦେଶରେ ସମାନ ନାଗରିକ ସଂହିତା ଲାଗୁ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବାକୁ ଏକ ଜାତୀୟ ପରିଦର୍ଶନ ଓ ଅନୁସନ୍ଧାନ କମିଟି  ଗଠନ କରାଯାଉ ।