କୋଲକତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ରବିବାର ସକାଳେ ଦଳେ ଲୋକଙ୍କ ଉପରେ ମହାବଳ ବାଘ ଆକ୍ରମଣ କରିଛି। ଆକ୍ରମଣରେ ଜଣେ ବ୍ୟକ୍ତି ଘାଇଲା ହୋଇଛି। ୩ଦିନ ଭିତରେ ଜନବସତି ଭିତରକୁ ୨ଥର ପଶିଲାଣି ମହାବଳ। ଜନବସତି ମୁହାଁ ହେବା ଚଳିତ ମାସରେ ଏହା ତା’ର ତୃତୀୟ ଥିଲା। ତେବେ ଘଟଣାକୁ ନେଇ ବନ ବିଭାଗ ତତ୍ପର ହୋଇଥିବାବେଳେ ଅଞ୍ଚଳବାସୀ ବି ସଜାଗ ହୋଇଛନ୍ତି।
ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଶୁକ୍ରବାର ଗ୍ରାମବାସୀ ମହାବଳକୁ ଅଞ୍ଚଳର କୁଟାଳିର ଗରନ୍କାଥିର ଏକ ନଦୀକୂଳ ବୁଦାରେ ଦେଖିବାକୁ ପାଇଥିଲେ। ଗ୍ରାମବାସୀ କହିଛନ୍ତି ଯେ, ଗତ ତିନିଦିନ ହେଲା ବାଘର ଗର୍ଜନ ଶୁଣି ଆସୁଛନ୍ତି । ବାଘର ପାଦଚିହ୍ନ ଏହି ଅଞ୍ଚଳରେ ଦେଖିବାକୁ ମିଳିଛି । ପରେ ଘଞ୍ଚ ବୁଦାରେ ବନକର୍ମଚାରୀ ଗ୍ରାମବାସୀଙ୍କ ସହିତ ମିଶି ବାଘକୁ ଖୋଜୁଥିବାବେଳେ ବାଘ ସହିତ ମୁହାଁମୁହିଁ ହୋଇଥିଲା। ସେମାନଙ୍କ ଉପରକୁ ବାଘ କୁଦା ମାରି ଆକ୍ରମଣ କରିଥିଲା ।
ଜଣେ ଅଧିକାରୀ କହିଛନ୍ତି, ବାଘ ଆକ୍ରମଣରେ ଜଣେ ଲୋକର ଗୋଡରେ ଆଘାତ ଲାଗିଛି ଓ ତାଙ୍କର ଏକ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଛି । ଯଦି ଦରକାର ହୁଏ ତାଙ୍କୁ କୋଲକତାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଯଦିଓ ଆହତ ବ୍ୟକ୍ତିଙ୍କ ଶରୀରରୁ ଅନେକ ରକ୍ତ ଯାଇଛି ତଥାପି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଆମେ ପିୟାଲୀ ନଦୀର ଚାରିଆଡକୁ ବନ୍ଦ କରିଦେଇଛୁ, ବୁଦାଗୁଡିକୁ ମଣିଷ ରହୁଥିବା ସ୍ଥାନରୁ ହଟେଇ ଦେଇଛୁ ଏବଂ ସେଠାରେ ପିଞ୍ଜରା ଭିତରେ ଛେଳିମାନଙ୍କୁ ଖାଦ୍ୟ ହିସାବରେ ରଖି ଦେଇଛୁ । ଆମେ ଗ୍ରାମବାସୀଙ୍କୁ ଧୈର୍ଯ୍ୟ ରଖି ବାଘ ଆଡକୁ ନଯିବାକୁ ପରାମର୍ଶ ଦେଇଛୁ । ଆମେ ଖୁବ୍ ଶୀଘ୍ର ବାଘକୁ ଆୟତ କରିବାକୁ ଯୋଜନା କରିଛୁ ।
ଘଟଣାର ପ୍ରତିବାଦରେ ଶତାଧିକ ଗ୍ରାମଵାସୀ ଲାଠି ଧରି ବାଘ ରହୁଥିବା ସ୍ଥାନଆଡକୁ ଯିବାକୁ ଚାହୁଁଥିଲେ,କିନ୍ତୁ ବନକର୍ମଚାରୀ ସେମାନଙ୍କୁ ବାରଣ କରିଥିଲେ । ଲୋକଙ୍କ ଭିଡକୁ କମ୍ କରିବାପାଇଁ ଘଟଣାସ୍ଥଳରେ ୧୪୪ ଧାରା ଲାଗୁ କରାଯାଇଛି ।
ଜଣେ ଅଧିକାରୀଙ୍କ କହିବା ଅନୁସାରେ, ପୂର୍ବରୁ ଡିସେମ୍ବର ୭ ତାରିଖ ସୁନ୍ଦରବନ ଅଞ୍ଚଳରୁ ଗୋଟିଏ ମହାବଳ ବାଘ ଜିଲ୍ଲାର କୁଲଟାଲି କ୍ଷେତ୍ରର ଗ୍ରାମନିକଟକୁ ଚାଲି ଆସିଥିଲା । ଏହାକୁ ପିଞ୍ଜରା ଭିତରେ ଛେଳି ରଖି ଧରାଯାଇଥିଲା ଓ ଦିନେ ପରେ ସୁନ୍ଦରବନରେ ଛଡାଯାଇଥିଲା । ସେହି ସମାନ ବାଘଟି ହିଁ ଆଉଥରେ ଆସିଛି ନା ଆଉ କେଉଁ ବାଘ ତାହା ନିଶ୍ଚିତ ହୋଇନାହିଁ।