ଗୌହାଟି: ୧୦ ଘଣ୍ଟାର ପ୍ରଚେଷ୍ଟା ପରେ ମଙ୍ଗଳବାର ଦିନ ନିଶ୍ଚେତକ ପ୍ରୟୋଗ କରାଯାଇ ଆସାମ ଚିଡ଼ିଆଖାନାକୁ ନିଆଯାଇଥିବା ଗୋଟାଏ ମହାବଳ ବାଘ ବ୍ରହ୍ମପୁତ୍ର ନଦୀରେ ଦୀର୍ଘ ୧୨୦ କିଲୋମିଟର୍‌ ପହଁରି ମୟୂରଦ୍ବୀପ ନାମକ ଏକ ଛୋଟିଆ ଦ୍ବୀପରେ ପହଞ୍ଚିଥିଲା ବୋଲି ବନ ବିଭାଗ କହିଛି।

Advertisment

ଏହି ଘଟଣାର ଭାଇରାଲ୍‌ ଭିଡିଓରେ ଦେଖାଯାଉଛି, ବ୍ରହ୍ମପୁତ୍ର ନଦୀରେ ବାଘଟି ପ୍ରଖର ବେଗରେ ପହଁରି ପହଁରି ପ୍ରଚୀନ ଉମାନନ୍ଦ ଲାଗି ପ୍ରସିଦ୍ଧ ଗୁୱାଜତି ନିକଟରେ ଥିବା ମୟୂର ଦ୍ବୀପର ଗୋଟିଏ ଅଣଓସାରିଆ ଗୁହାରେ ଲୁଚି ଯାଉଛି।

ବିଶ୍ବର କ୍ଷୁଦ୍ରତମ ଦ୍ବୀପ ବୋଲି କୁହାଯାଉଥିବା ମୟୂର ଦ୍ବୀପ ଆଡ଼କୁ ବାଘଟିଏ ପହଁରି ପହଁରି ଆସୁଥିବା ଦେଖି ମଙ୍ଗଳବାର ସକାଳେ ମନ୍ଦିରରେ ଥିବା ଦଳେ ଶ୍ରମିକ ତଟସ୍ଥ ହୋଇଯାଇଥିଲେ।

ଉକ୍ତ ଦ୍ବୀପଠାରୁ ୧୨୦ କିଲୋମିଟର୍‌ ଦୂରରେ ଅବସ୍ଥିତ ଓରାଙ୍ଗା ଜାତୀୟ ଉଦ୍ୟାନରୁ ବାଘଟି ଚାଲିଆସିଥିବା କଥା ବନ ଅଧିକାରୀମାନେ କହୁଛନ୍ତି। ସେମାନେ ଅନୁମାନ କରୁଛନ୍ତି କି, ପାଣି ପିଇବାକୁ ନଈକୁ ଆସିଥିବା ବ‌େଳେ ସମ୍ଭବତଃ ପ୍ରଖର ସ୍ରୋତ ବାଘଟିକୁ ଭସାଇ ନେଇଛି।

publive-image Image Grabbed Form Video

ବାଘ ପହଞ୍ଚିବା ପରେ ଦ୍ବୀପବାସୀ ଭୟରେ ଥରହର ହେଉଥିବା ବେଳେ ‘ଏନ୍‌ଡିଆର୍‌ଏଫ୍‌’ ଓ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇଥିଲା। ପ୍ରାଣୀ ଚିକିତ୍ସକଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ବୋଟ୍‌ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ନଦୀକୂଳଠାରୁ ଦୂରରେ ଥିବାରୁ ବାଘ ଉପରେ ନିଶ୍ଚେତକ ପ୍ରୟୋଗ କରିବା ଲାଗି ବନ ବିଭାଗ ଟିମ୍‌ ଅସୁବିଧାରେ ପଡ଼ିଥିଲେ। ବନ ବିଭାର ଜଣେ କର୍ମଚାରୀ ଗଣମାଧ୍ୟମକୁ କହିଥିଲେ, ବଘଟି ଦୁଇଟି ବଡ଼ ପଥର ସନ୍ଧିରେ ଲାଖି ରହିଥିବାରୁ ଉଦ୍ଧାରକାରୀ ଦଳକୁ ଅତି ସାବଧାନତା ସହକାରେ କାମ କରିବାକୁ ପଡ଼ିଲା। କାରଣ, କିଛି ତ୍ରୁଟିବିଚ୍ୟୁତି ଘଟିଲେ ବାଘଟି ନଈରେ ପଡ଼ି ବୁଡ଼ିଯିବାର ଆଶଙ୍କା ଥିଲା। ପୁଣି, ନିଶ୍ଚେତକ ପ୍ରୟୋଗ କରା ନ ଗଲେ, ଉଦ୍ଧାରକାରୀ ଦଳର ସଦସ୍ୟଙ୍କୁ ବାଘ ଆକ୍ରମଣ କରିପାରେ।

ବାଘଟି ସମ୍ପୂର୍ଣ୍ଣ ଅଚେତ ହୋଇଯାଇଛି ବୋଲି ସୁନିଶ୍ଚିତ ହେବା ପରେ ଯାଇ ଉଦ୍ଧାକାରୀ ଦଳ ତାକୁ ଧରି ଯନ୍ତାରେ ଭର୍ତ୍ତି କରିଥିଲେ। କିନ୍ତୁ, ପଥର ସନ୍ଧି ଅତି ଅଣଓସାରିଆ ଥିବାରୁ ବାଘକୁ କାଢ଼ିବା ପାଇଁ ବହୁ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।