ନୂଆଦିଲ୍ଲୀ,୬/୧: ରେଳ ସୁରକ୍ଷା ବଳ ବା ଆର୍ପିଏଫ୍ ପକ୍ଷରୁ ରେଳଯାତ୍ରୀଙ୍କ ସୁବିଧା ତଦାରଖ କରିବା ପାଇଁ ଏକମାସ ବ୍ୟାପୀ ଏକ ସର୍ବ ଭାରତୀୟ ଅଭିଯାନ କରାଯାଇଥିଲା। ଏହି ଅଭିଯାନ କାଳରେ ୧୧୪୦୦ରୁ ଅଧିକ ବେଆଇନ ଯାତ୍ରୀଙ୍କୁ ଆର୍ପିଏଫ୍ ଗିରଫ କରିଛି। ମହିଳାଙ୍କ ପାଇଁ ସଂରକ୍ଷିତ କୋଚ୍ରେ ବେଆଇନଭାବେ ପ୍ରବେଶ କରି ଯାତ୍ରା କରୁଥିବା ୫୧୦୦ରୁ ଅଧିକ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି । ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚ୍ରେ ପ୍ରବେଶ କରି ଯାତ୍ରା କରିବା ଓ ସେମାନଙ୍କ ଆସନକୁ ଅକ୍ତିଆର କରିବା ଅଭିଯୋଗରେ ଅନ୍ୟ ୬୩୦୦ ଯାତ୍ରୀଙ୍କୁ ଗିରଫ କରାଯାଇଛି।
ମହିଳାଙ୍କ ପାଇଁ ସଂରକ୍ଷିତ କୋଚ୍ରୁ ଧରାପଡ଼ିଛନ୍ତି ୫୧୦୦
ଭିନ୍ନକ୍ଷମ କୋଚ୍ରୁ ୬୩୦୦ ଯାତ୍ରୀ
ରେଳବାଇ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଯାତ୍ରା କରୁଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜରିମାନା ଆକାରରେ ଉଭୟ ଗୋଷ୍ଠୀର ଦୋଷୀଙ୍କଠାରୁ ଯଥାକ୍ରମେ ୬.୭୧ ଲକ୍ଷ ଏବଂ ୮.୬୮ଲକ୍ଷ ଟଙ୍କା ଆଦାୟ କରାଯାଇଛି।
ଏହି ଅଭିଯାନ କାଳରେ ଦୂରଗାମୀ ଟ୍ରେନର ସାଧାରଣ ବଗିରେ କିଛି ଅସାଧୁ ଲୋକ ଟାୱେଲ ପକାଇ ସିଟ୍ ଜବରଦଖଲ କରିବା ସହିତ ତାହାକୁ ଯାତ୍ରୀମାନଙ୍କୁ ବିକିବା ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଏହି ବେଆଇନ ସିଟ୍ ଅକ୍ତିଆର ଘଟଣାର ୩୬ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାତ୍ରୀଙ୍କ ସୁବିଧା ପ୍ରତି ନିୟମିତ ଧ୍ୟାନ ଦେବାକୁ ଓ ଅଭିଯାନ ଚଳାଇବାକୁ ଆର୍ପିଏଫ୍ର କ୍ଷେତ୍ର କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।