ରେଳ ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବନାହିଁ ଗୃହ ସଙ୍ଗରୋଧ ନିୟମ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩ ତାରିଖରୁ ୩୧ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆରଆରବି ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ ନାହିଁ ଗୃହ ପୃଥକବାସ ନିୟମ | ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ ଓ ନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇଛନ୍ତି | ଚିଠିରେ ଦର୍ଶାଯାଇଛି ଯେ ରେଳ ନିଯୁକ୍ତି ବୋର୍ଡ, ବିଳାସପୁର ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଯାଇଥିଲା ଯେ ଭୁବନେଶ୍ୱରରେ ଆସନ୍ତା ମାର୍ଚ୍ଚ ୩ ତାରିଖରୁ ୩୧ ତାରିଖ ଯାଏଁ ଆରଆରବିର ପରୀକ୍ଷା ଆୟୋଜିତ ହେବ |

ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଆଡମିଟ କାର୍ଡ ପଠାଇ ଦିଆଯାଇଥିବାବେଳେ ପ୍ରାୟ ୧୦୫୦୦ ପରୀକ୍ଷାର୍ଥୀ ଭୁବନେଶ୍ୱର ଆସିବେ | ତେଣୁ ରାଜ୍ୟ ସରକାରଙ୍କର ଗୃହ ପୃଥକବାସ ନିୟମ ଛାତ୍ରଛାତ୍ରୀଙ୍କ ଉପରେ ଲାଗୁହେବନାହିଁ ବୋଲି ଉଲ୍ଲେଖ କରାଯାଇଛି | ସୂଚନା ଥାଉ କି କରୋନା ସଂକ୍ରମଣ ରୋକିବା ଲାଗି ୫ଟି ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାର କଡ଼ା କଟକଣା ଲଗାଇଛନ୍ତି।

ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଫେରନ୍ତା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟରେ ପରୀକ୍ଷା ସହ ଏହି ୫ ରାଜ୍ୟ ଫେରନ୍ତାଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକବାସ ଲାଗୁ କରିଛନ୍ତି। କିନ୍ତୁ କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ଗୃହ ପୃଥକବାସ ଜରୁରୀ ନୁହେଁ ବୋଲି କୁହାଯାଇଛି। ତେବେ ଏହି ନିୟମ ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ ନାହିଁ |

ସମ୍ବନ୍ଧିତ ଖବର