ଦୁଇ ସନ୍ତାନ ନୀତି ପାଇଁ କାମ କରିବାକୁ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ଆହ୍ବାନ, ସଂଘର ଏଜେଣ୍ଡାରେ ଏବେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ

୨୦୨୭ ସୁଦ୍ଧା ଜନସଂଖ୍ୟାରେ ଚୀନ୍‌କୁ ଟପିଯିବ ଭାରତ

ମୁରାଦାବାଦ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଉତ୍ତର ପ୍ରଦେଶର ମୁରାଦାବାଦର ଏକ କାର୍ଯ୍ୟକ୍ରମରେ ଦୁଇ ସନ୍ତାନ ନୀତି ଉପରେ ଏବେ ଅଧିକ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ସମର୍ଥନରେ ଚାଲିଥିବା ଅଭିଯାନ ସଫଳ ହେବାପରେ ଏବେ ପରବର୍ତ୍ତୀ ଯୋଜନା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ହେବ ଏବଂ ଏ ଦିଗରେ ଗୁରୁତ୍ବର ସହ କାର୍ଯ୍ୟ କରିବା ସମୟ ଆସିଯାଇଛି ବୋଲି ଭାଗବତ କହିଛନ୍ତି।

ଦେଶରେ ଜନସଂଖ୍ୟା ବିସ୍ଫୋରଣକୁ ନେଇ ଉଦ୍‌ବେଗ ପ୍ରକାଶ କରି ଭାଗବତ କହିଛନ୍ତି ଯେ ସରକାର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ତିଆରି କରିବା ଦିଗରେ ଏବେ ତତ୍ପରତାର ସହିତ କାମ କରିବାକୁ ହେବ। ଜନସଂଖ୍ୟା ସମସ୍ୟାରୁ ମୁକ୍ତି ପାଇଁ ଏବେ ଆଇନ ଜରୁରୀ ହୋଇଯାଇଛି ବୋଲି ସେ କହିଛନ୍ତି। ଦେଶକୁ ବିକାଶର ସଠିକ୍‌ ରାସ୍ତାରେ ଅଗ୍ରସର କରାଇବା ପାଇଁ ଜନସଂଖ୍ୟା ନିୟନ୍ତ୍ରର ଆଇନର ଆବଶ୍ୟକତା ରହିଛି । କୌଣସି ଧର୍ମ ବିଶେଷ ପ୍ରତି ଗୁରୁତ୍ବ ଦେଇ ଏହି ଆଇନ ହେବ ନାହିଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହେବ ବୋଲି ସେ କହିଛନ୍ତି। ଭାରତର ବିକାଶ ରାସ୍ତାରେ ଏବେ ଜନସଂଖ୍ୟା ବିସ୍ଫୋରଣ ବଡ଼ ସମସ୍ୟା ଭାବେ ଦେଖାଦେଇଛି ଏବଂ ଏହାର ମୁକାବିଲା ପାଇଁ ସରକାରଙ୍କୁ ହିଁ କିଛି କରିବାକୁ ପଡ଼ିବ ବୋଲି ଭାଗବତ କହିଛନ୍ତି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ଭାଗବତ କହିଥିଲେ ଯେ ଦେଶ ହିତରେ ଏହା ଏକ ବହୁତ ବଡ଼ ପଦକ୍ଷେପ ଏବଂ ଏଥିପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ।

୨୦୨୭ ସୁଦ୍ଧା ଜନସଂଖ୍ୟାରେ ଚୀନ୍‌କୁ ଟପିଯିବ ଭାରତ
ଭାରତରେ ଏବେ ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ୨୦୨୭ ସୁଦ୍ଧା ଭାରତ ଜନସଂଖ୍ୟାରେ ଚୀନ୍‌କୁ ଟପିଯିବ ବୋଲି ଜାତିସଂଘ ଆକଳନ କରିଛି। ଭାରତର ଜନସଂଖ୍ୟ ୨୦୧୦ରୁ ୨୦୧୯ ମଧ୍ୟରେ ବାର୍ଷିକ ୧.୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯାହାକି ଚୀନ୍‌ର ଜନସଂଖ୍ୟ ବୃଦ୍ଧି ହାରର ଦୁଇଗୁଣରୁ ଅଧିକ। ବିଶ୍ବ ଜନସଂଖ୍ୟା ଏବେ ୭୭୧.୫ କୋଟିରେ ପହଞ୍ଚି ଯାଇଛି। ଭାରତର ଜନସଂଖ୍ୟା ଏବେ ୧୩୮ କୋଟିରେ ପହଞ୍ଚିଥିବା ବେଳେ ଚୀନ୍‌ର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର