ପାଟନା: ବିହାରରେ ରବିବାର ନିର୍ମାଣାଧୀନ ଆଉ ଏକ ବ୍ରିଜ ଭୁଶୁଡି ପଡିଛି। ରବିବାର ସକାଳେ ମୋତିହାରୀରେ ନିର୍ମାଣଧୀନ ବ୍ରିଜ୍ ହଠାତ୍ ଭୁଶୁଡି ପଡିଛି। ଲୋକମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ପୁଲିସ୍‌କୁ ପଠାଇଥିଲେ। ଆରାରିଆ ଏବଂ ସିୱାନ୍ ପରେ ମୋତିହାରୀରେ ଏହା ହେଉଛି ତୃତୀୟ ବ୍ରିଜ୍ ଭୁଶୁଡ଼ିବା ଘଟଣା। ଗତ ୭ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଦୁର୍ଘଟଣା। ବ୍ରିଜ୍‌ର ପ୍ରାୟ ୪୦ ପ୍ରତିଶତ ଭୁଶୁଡି ପଡିଛି।

Advertisment

ମୋତିହାରୀରେ ଘୋଡ଼ାସହନ ଅଞ୍ଚଳର ଅମାଭା ଠାରୁ ଚେନପୁର ଷ୍ଟେସନକୁ ଯାଉଥିବା ରାସ୍ତାରେ ଏହି ବ୍ରିଜ୍‌ ନିର୍ମାଣ କରାଯାଉଥିଲା ଏବଂ ଏଥିପାଇଁ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ରିଜ୍‌ର କାଷ୍ଟିଂ କାମ ଅନେକ ଦିନ ଧରି ଚାଲିଥିଲା, କିନ୍ତୁ ହଠାତ୍ ଏହା  ଭୁଶୁଡ଼ିବା ଦ୍ୱାରା ଲୋକମାନେ ଅସନ୍ତୁଷ୍ଟ ହୋଇ ପ୍ରଶାସନ ନିର୍ମାଣ କାର୍ଯ୍ୟରେ ଖରାପ ସାମଗ୍ରୀ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୋତିହାରୀ ପୂର୍ବରୁ ଆରାରିଆ ଏବଂ ସିୱାନରେ ନିର୍ମାଣାଧୀନ ବ୍ରିଜ୍‌ ମଧ୍ୟ ଭୁଶୁଡି ପଡିଥିଲା। ଏବେ ୭ ଦିନ ମଧ୍ୟରେ ତୃତୀୟ ବ୍ରିଜ୍‌ ଭୁଶୁଡି ପଡିଛି। ଏହାଯୋଗୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କର ବଦନାମ ହେଉଛି। ଏହାକୁ ଧିରେନ୍ଦ୍ର ନିର୍ମାଣକାରୀ କମ୍ପାନୀ ନିର୍ମାଣ କରିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣା ରାତିରେ ଘଟିଥିଲା, ତେଣୁ ଏଥିରେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ। ଏହାପୂର୍ବରୁ ଗତକାଲି ସିୱାନର ଗାନ୍ଧକ କେନାଲ ଉପରେ ନିର୍ମିତ ବ୍ରିଜ୍ ହଠାତ୍ ଭୁଶୁଡି ପଡିଥିଲା।

ଦାରୁଣ୍ଡା ସହର ଏବଂ ପଟେଢି ବଜାରକୁ ସଂଯୋଗ କରିବା ପାଇଁ ସିୱାନର ରାମଗଡ଼ା ଗ୍ରାମରେ ଏହି ବ୍ରିଜ୍ ନିର୍ମାଣ କରାଯାଇଥିଲା, କିନ୍ତୁ ନଦୀରେ ହଠାତ୍ ଜଳ ବୃଦ୍ଧି ହେତୁ ଏହା ଭୁଶୁଡି ପଡିଥିଲା। ଏହାପୂର୍ବରୁ ଆରାରିଆର ବକରା ନଦୀର ପଡକିଆ ଘାଟ ଉପରେ ନିର୍ମିତ ବ୍ରିଜ୍ ଭୁଶୁଡି ପଡିଥିଲା। ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ସେହି ବ୍ରିଜ୍ ନିର୍ମାଣ କରାଯାଇଥିଲା ଏବଂ ଏହାର ଉଦଘାଟନ ହୋଇ ନ ଥିଲା, କିନ୍ତୁ ଏହା ପୂର୍ବରୁ ବ୍ରିଜ୍ ଭୁଶୁଡି ପଡିଥିଲା।