‘ଆତ୍ମନିର୍ଭର ଭାରତ’ର ତୃତୀୟ ପର୍ଯ୍ୟାୟ : କୃଷି ପାଇଁ ୧.୬୩ ଲକ୍ଷ କୋଟି

ଲକ୍ଷେ କୋଟିର କୃଷି ଭିତ୍ତିଭୂମି ପାଣ୍ଠି ଗଠନ ହେବ
ମତ୍ସ୍ୟଚାଷୀଙ୍କ ପାଇଁ ୨୦ ହଜାର କୋଟିର ସ୍କିମ୍
ମହୁମାଛି ପାଳନ ପାଇଁ ୫୦୦ କୋଟି
ଲଘୁ ଖାଦ୍ୟ ଉଦ୍ୟୋଗ ପାଇଁ ୧୦ ହଜାର କୋଟି
କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଲାଗି ପ୍ରୟାସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ ଅଭିଯାନ’ର ତୃତୀୟ ପର୍ଯ୍ୟାୟରେ କୃଷି କ୍ଷେତ୍ର ଉପରେ ଜୋର୍‌ ଦିଆଯାଇଛି। କରୋନା ସଙ୍କଟ ଦ୍ବାରା ପ୍ରଭାବିତ ହୋଇଥିବା ଚାଷୀକୁଳ ଏବଂ କୃଷି କ୍ଷେତ୍ରର ସମସ୍ୟା ଦୂର କରିବା ଲାଗି ପ୍ରୟାସ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଲାଗି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୬୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ସହ ବ୍ୟାପକ ସଂସ୍କାର ନେଇ ସୂଚନା ଦେଇଛନ୍ତି। କୃଷି କ୍ଷେତ୍ର ପାଇଁ ସେ ମୋଟ୍‌ ୧୧ ପ୍ରକାରର ପଦକ୍ଷେପ ନେଇ ଘୋଷଣା କରିଛନ୍ତି। ଏଥି ସହିତ ପଶୁପାଳନ, ମତ୍ସ୍ୟଚାଷ, ମହୁମାଛି ପାଳନ, ଗୁଳ୍ମଜାତୀୟ ଏବଂ ଔଷଧୀୟ ବୃକ୍ଷ ଚାଷ ଲାଗି ସ୍ବତନ୍ତ୍ର ସ୍କିମ୍ ଘୋଷଣା କରିଛନ୍ତି। ଏହି ସବୁ ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଚାଷୀମାନଙ୍କ ଆୟ ବଢ଼ାଇବା।

ସୂଚନା ଅନୁସାରେ କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ୧ ଲକ୍ଷ କୋଟି ଟଙ୍କାର କୃ‌ଷି ଭିତ୍ତିଭୂମି ପାଣ୍ଠି ଗଠନ କରାଯିବ। କୃଷିଜାତ ସାମଗ୍ରୀ କାରବାରରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ରେ ସଂଶୋଧନ କରାଯିବ ବୋଲି ସରକାର ଘୋଷଣା କରିଥିବା ବେଳେ କୃଷିଜାତ ସାମଗ୍ରୀର ବିପଣନକୁ ସହଜ ଓ ସୁବିଧାଜନକ କରିବା ଲାଗି ନୂଆ କେନ୍ଦ୍ରୀୟ ଆଇନ ଅଣାଯିବ ବୋଲି ପ୍ରସ୍ତାବ ଦେଇଛନ୍ତି। ଲଘୁ ଖାଦ୍ୟ ଉଦ୍ୟୋଗ ଲାଗି ୧୦ ହଜାର କୋଟି ଟଙ୍କାର ସ୍କିମ୍‌, ମତ୍ସ୍ୟଚାଷୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କା, ପଶୁପାଳନ ଭିତ୍ତିଭୂମି ବିକାଶ ଲାଗି ୧୫ ହଜାର କୋଟି ଟଙ୍କା, ହର୍ବାଲ୍ ଚାଷ ପାଇଁ ୪୦୦୦ କୋଟି ଟଙ୍କା, ଟପ୍‌ରୁ ଟୋଟାଲ୍‌ ସ୍କିମ୍ ପାଇଁ ୫୦୦ କୋଟି ଟଙ୍କା ଓ ମହୁମାଛି ପାଳନ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି। ପଶୁ ରୋଗ ନିୟନ୍ତ୍ରଣ ପାଇଁ ୧୩, ୩୪୩ କୋଟି ଟଙ୍କାର ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କୃଷି ବିପଣନରେ ସଂସ୍କାର ଆଣିବା ଓ କୃଷିଜାତ ସାମଗ୍ରୀର ମୂଲ୍ୟ ଓ ଗୁଣବତ୍ତା ପାଇଁ ଆଶ୍ବାସନା ଦେବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଘୋଷଣା କରିଛନ୍ତି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଲାଗି ଘୋଷଣା କରାଯାଇଥିବା ୧୧ଟି ପଦକ୍ଷେପ ମଧ୍ୟରୁ ୮ଟି ପଦକ୍ଷେପ ଜରିଆରେ କେବଳ କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଲଘୁ ଖାଦ୍ୟ ଉଦ୍ୟୋଗଗୁଡ଼ିକୁ ସଂଗଠିତ କରିବା ଲାଗି ୧୦ ହଜାର କୋଟି ଟଙ୍କାର ସ୍କିମ୍ ଘୋଷଣା କରାଯାଇଛି। ଏଥିରେ କ୍ଲଷ୍ଟର୍‌ ଭିତ୍ତିରେ ଲଘୁ ଖାଦ୍ୟ ଉଦ୍ୟୋଗଗୁଡ଼ିକୁ ସଂଗଠିତ କରାଯିବ। ସେମାନେ ଯେଭଳି ଏଫ୍‌ଏସ୍‌ଏସ୍‌ଏଆଇ ମାନର ସାମଗ୍ରୀ ଉତ୍ପାଦନ କରିପାରିବେ ସେଥିପାଇଁ ସେମାନଙ୍କ ବୈଷୟିକ ବ୍ୟବସ୍ଥାରେ ଉନ୍ନତି ଅଣାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ହର୍ବାଲ୍‌ ଚାଷର ପ୍ରସାର ଲାଗି ଘୋଷଣା କରାଯାଇଥିବା ୪୦୦୦ କୋଟି ଟଙ୍କାର ଜାତୀୟ ଔଷଧୀୟ ବୃକ୍ଷ ପାଣ୍ଠି ଜରିଆରେ ଆଗାମୀ ଦିନରେ ୧୦ ଲକ୍ଷ ହେକ୍ଟର ଜମିରେ ହର୍ବାଲ୍ ଚାଷ କରିବାକୁ ପ୍ରୟାସ କରାଯିବ। ସେହିପରି ମହୁମାଛି ପାଳନ ପାଇଁ ଭିତ୍ତିଭୂମି ବିକଶିତ କରିବା ଏବଂ ସେମାନଙ୍କୁ ଅମଳ ପରବର୍ତୀ ସହାୟତା ଦେବା ଲାଗି ୫୦୦ କୋଟି ଟଙ୍କାର ସ୍କିମ୍ ଘୋଷଣା କରାଯାଇଛି। ଏହି ସ୍କିମ୍ ଦ୍ବାରା ୨ ଲକ୍ଷ ମହୁମାଛି ଚାଷୀ ଉପକୃତ ହେବେ। ଏହା ବ୍ୟତୀତ ଗ୍ରାହକଙ୍କୁ ମଧ୍ୟ ଗୁଣାତ୍ମକ ମାନର ମହୁ ମିଳିପାରିବ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ମତ୍ସ୍ୟଚାଷୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି। ଏହା ଜରିଆରେ ମତ୍ସ୍ୟ ଉତ୍ପାଦନରେ ବଢ଼ାଇବାକୁ ପ୍ରୟାସ କରାଯିବ। ଦୁଗ୍ଧ ପ୍ରକ୍ରିୟାକରଣ, ମୂଲ୍ୟଯୋଗ କରିବା ଏବଂ ପଶୁ ଆହାର ବିକଶିତ କରିବା ଲାଗି ୧୫ ହଜାର କୋଟି ଟଙ୍କାର ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଗଠନ କରାଯିବା ବିଷୟରେ ଘୋଷଣା କରାଯାଇଛି। ଗାଈଗୋରୁ, ମଇଁଷି, ଛେଳି, ମେଣ୍ଢା, ଓ ଘୁଷୁରିମାନଙ୍କ ଶତ ପ୍ରତିଶତ ଟିକାକରଣ ପାଇଁ ୧୩,୩୪୩ କୋଟି ଟଙ୍କାର ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।

କୃଷି କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ୬୫ ବର୍ଷ ପୁରୁଣା ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ସେହିପରି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଅଧିକ ମୂଲ୍ୟ ପ୍ରଦାନ କରିବା ଲାଗି ଦାନାଯୁକ୍ତ ଖାଦ୍ୟଶସ୍ୟ, ଖାଇବା ତେଲ, ତୈଳବୀଜ, ଡାଲି, ପିଆଜ ଓ ଆଳୁର ମୂଲ୍ୟ ନିର୍ଧାରଣ ପ୍ରକ୍ରିୟାକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରାଯିବ ବୋଲି ପ୍ରସ୍ତାବ ଦେଇଛନ୍ତି। କୃଷିଜାତ ସାମଗ୍ରୀର ବିପଣନ ଲାଗି ମଧ୍ୟ ସଂସ୍କାର ପଦ‌କ୍ଷେପ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ‘ଆତ୍ମନିର୍ଭର ଭାରତ’ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଏମ୍ଏସ୍‌ଏମ୍ଇ, ବିଦ୍ୟୁତ ଡିସ୍‌କମ୍‌ଙ୍କ ସଙ୍କଟ ଦୂର କରିବା ଲାଗି ଉଦ୍ୟମ କରିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ବେପାରୀ, କ୍ଷୁଦ୍ର ବ୍ୟବସାୟୀ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଥିଲା। ଆଜି ତୃତୀୟ ପର୍ଯ୍ୟାୟର ସମସ୍ତ ଘୋଷଣା କୃଷି କ୍ଷେତ୍ରକୁ ନଜରରେ ରଖି କରାଯାଇଛି।

ସମ୍ବନ୍ଧିତ ଖବର