୧୦କୋଟିର ଡାଇନିଂ ଟେବୁଲ କିଣିଥିବାର ଆରୋପ ଲାଗିଥିଲା, ଫଟୋ ଟୁଇଟ କରି ଏଭଳି ଲେଖିଲେ ଅଶନୀର

ନୂଆଦିଲ୍ଲୀ: ଏହା ରକେଟ କି ଟାଇମ୍ ମେସିନ ନୁହେଁ; ଏହା ହେଉଛି ଡାଇନିଂ ଟେବୁଲ। ଗତକାଲି ଶାର୍କ ଟ୍ୟାଙ୍କ ଇଣ୍ଡିଆର ଜଜ୍ ତଥା ଭାରତ ପେ’ର ପୂର୍ବତନ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭରଙ୍କ ଉପରେ କମ୍ପାନିରୁ ଟଙ୍କା ଚୋରି କରି ୧୦କୋଟିର ଡାଇନିଂ ‌ଟେବୁଲ କିଣିଥିବାର ଅଭିଯୋଗ ଲାଗିଥିଲା। ଏହି ଆରୋପ ଲାଗିବା ପରେ ଆଜି ଟ୍ବିଟ କରି ନିଜର ପକ୍ଷ ରଖିଛନ୍ତି ଅଶନୀର।

ନିଜ ଘରେ ଥିବା ଡାଇନିଂ ଟେବୁଲର ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଏହା ଏକ ସ୍ପେସ୍ ରକେଟ କି? ଏହା ଏକ ଟାଇମ୍ ମେସିନ କି? ସବୁଠୁ ଦାମୀ ଡାଇନିଂ ଟେବୁଲ ପାଇଁ ମୁଁ ଗିନିଜ ୱାର୍ଲ୍ଡ ରେକର୍ଡ କରିନାହିଁ। କିମ୍ବା ମୁଁ ସେଭଳି ରେକର୍ଡ କରିବାକୁ ମଧ୍ୟ ଇଚ୍ଛା କରେ ନାହିଁ। ମିଡିଆ – ଭାରତପେ’ ବୋର୍ଡ କହୁଥିବା ମିଛ କଥାକୁ ବିଶ୍ବାସ କରନ୍ତୁ ନାହିଁ। ଏଭଳି କଲେ ଆପଣ ସେମାନଙ୍କ ପରି ନିଜର ବିଶ୍ୱସନୀୟତା ହରାଇବେ।

ଉଲ୍ଲେଖଯୋଗ୍ୟ, ଗତକାଲି କମ୍ପାନିର ପୂର୍ବତନ କର୍ମଚାରୀ କହିଥିଲେ ଯେ, ଅଶନୀର ଏବଂ ତାଙ୍କ ପତ୍ନୀ ମାଧୁରୀ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଭଲପାଉଥିଲେ। ସେ ଏକ ନୂତନ ପେଣ୍ଟହାଉସ୍ ଭଡାରେ ନେବା ସହ ଏକ ବିଳାସପୂର୍ଣ୍ଣ ଘରର ନବୀକରଣ କରିଥିଲେ। ଏହା ବ୍ୟତୀତ ସେ ଏକ ପୋର୍ସେ କାର୍ ମଧ୍ୟ କିଣିଥିଲେ। ଭାରତପେ’ କର୍ମଚାରୀଙ୍କ ଅନୁଯାୟୀ, ଅଶନୀର ଅନେକ ଲୋକଙ୍କୁ କହିଛନ୍ତି ଯେ ସେ ପ୍ରାୟ ୯.୯୩ କୋଟି ଟଙ୍କା ଖର୍ଚ୍ଚ କରି ଡାଇନିଂ ରୁମ ଟେବୁଲ କିଣିଛନ୍ତି। କମ୍ପାନିରୁ ଟଙ୍କା ଚୋରି କରି ସେ ଏଭଳି ଜୀବନ ବଞ୍ଚୁଥିଲେ ବୋଲି ଭାରତପେ’ କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର