ମିଥ୍ୟା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଅଦାଲତଙ୍କ ନିର୍ଦେଶ

ଚେନ୍ନାଇ: ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ସାତ ବର୍ଷରୁ ଅଧିକ କାଳ ବିଚାରର ସମ୍ମୁଖୀନ ହୋଇଥିବା ଜଣେ କଲେଜ ଛାତ୍ରଙ୍କୁ ଚେନ୍ନାଇ ଅଦାଲତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।
ପୀଡ଼ିତା ଜନ୍ମ କରିଥିବା ଶିଶୁଟି ତାଙ୍କ ଔରସଜାତ ନୁହେଁ ବୋଲି ‘ଡିଏନ୍‌ଏ’ ପରୀକ୍ଷାରୁ ପ୍ରମାଣିତ ହେବା ପରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଥିଲା। ଏହି ମିଥ୍ୟା ଦୁଷ୍କର୍ମ ଅଭିଯୋଗ ତାଙ୍କର କ୍ୟାରିୟର୍‌ ଏବଂ ଜୀବନ ନଷ୍ଟ କରିଛି ବୋଲି ଦର୍ଶାଇ ସନ୍ତୋଷ ନାମକ ସେ ବ୍ୟକ୍ତି ମାମଲା ଦାଏର କରିଥିଲେ। ତାଙ୍କର ଆବେଦନକୁ ଆଂଶିକଭାବେ ଗ୍ରହଣ କରି ଚେନ୍ନାଇର ଏକ ଅଦାଲତ ତାଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ମିଥ୍ୟା ଅଭିଯୋଗ କରିଥିବା ସେ ଝିଅ ଏବଂ ତାଙ୍କ ପିତାମାତାଙ୍କୁ ନିର୍ଦେଶ ଦେଇଛନ୍ତି।
ସେ ଝିଅ, ତା’ର ପିତାମାତା ଏବଂ ମାମଲାର ତଦନ୍ତ କରିଥିବା ସେକ୍ରେଟେରିଏଟ୍‌ କଲୋନି ଥାନା ଇନ୍‌ସ୍‌ପେକ୍ଟର୍‌ଙ୍କ ଠାରୁ କ୍ଷତିପୂରଣ ବାବଦରେ ସନ୍ତୋଷ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ସନ୍ତୋଷଙ୍କ ଓକିଲ ଏ ସିରାଜୁଦ୍ଦିନ କହିଛନ୍ତି ଯେ, ତାଙ୍କ ମହକିଲଙ୍କ ପରିବାର ଓ ସେ ଝିଅର ପରିବାର ପଡ଼ୋଶୀ ଅଟନ୍ତି। ସେମାନେ ଏକା ସମ୍ପ୍ରଦାୟର ହୋଇଥିବାରୁ ସନ୍ତୋଷ ଏବଂ ସେ ଝିଅର ବିବାହ ସ୍ଥିର କରିଥିଲେ।

Image Courtesy of Times of India

କିନ୍ତୁ, ପରେ ଜମିଜମା ବିବାଦ କାରଣରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ହୋଇଥିଲା। ସନ୍ତୋଷ ଏବଂ ତାଙ୍କ ପରିବାର ମଧ୍ୟ ଚେନ୍ନେଇର ଅନ୍ୟ ସ୍ଥାନକୁ ଚାଲିଯାଇଥିଲେ।
ଏକ ଇଞ୍ଜିନିୟରିଙ୍ଗ୍‌ କଲେଜରେ ସନ୍ତୋଷ ବିଟେକ୍‌ରେ ନାମ ଲେଖାଇଥିବା ବେଳେ ସେ ଝିଅର ମାଆ ଆସି ତାଙ୍କ ପିତାମାତାଙ୍କୁ କହିଥିଲେ ଯେ, ଝିଅ ଅନ୍ତଃସତ୍ତ୍ୱା ହୋଇଥିବାରୁ ସେମାନେ ବିବାହ ଆୟୋଜନ କରିବା ଉଚିତ। କିନ୍ତୁ, ଝିଅ ସହିତ ସେଭଳି କିଛି ସମ୍ପର୍କ ନ ଥିବା କଥା ସନ୍ତୋଷ କହିବାରୁ ସେମାନେ ଦୁଷ୍କର୍ମ ମାମଲା ଦାଏର କରିଥିଲେ। ଫଳରେ ସନ୍ତୋଷଙ୍କୁ ଗିରଫ କରାଯାଇ ୯୫ ଦିନ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା। ୨୦୧୦ ଫେବ୍ରୁଆରି ୧୨ ତାରିଖ ଦିନ ସେ ଜାମିନରେ ଆସିଥିଲେ। ସେତେବେଳେକୁ ଝିଅଟି ପିଲାଜନ୍ମ କରିସାରିଥିଲା।
କିନ୍ତୁ, ସେ ପିଲା ସନ୍ତୋଷଙ୍କର ନୁହେଁ ବୋଲି ‘ଡିଏନ୍‌ଏ’ ପରୀକ୍ଷାରୁ ଜଣାପଡ଼ିବା ପରେ ଚେନ୍ନାଇର ଏକ ମହିଳା ଅଦାଲତ ୨୦୧୬ ଫେବ୍ରୁଆରି ୧୦ରେ ସନ୍ତୋଷଙ୍କୁ ଦୋଷମୁକ୍ତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର