ଆୟକର ବିଭାଗର ନଜରରେ ଶଶିକଳାଙ୍କ ସଂପତ୍ତି, ପୁଣି ଜବତ କଲା ୨ ହଜାର କୋଟିର ମୂଲ୍ୟବାନ ଜମି

ଚେନ୍ନାଇ: ଆୟକର ବିଭାଗ ବୁଧବାର ଦିନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଶଶିକଳାଙ୍କର ୨ ହଜାର କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି । ତାମିଲନାଡୁର କୋଡାନାଡ ଓ ସିରୁଆଥାବର ଅଞ୍ଚଳରୁ ଏହି ସଂପତ୍ତି ଜବତ କରାଯାଇଛି । ଆୟକର ବିଭାଗର ଜଣେ କର୍ମଚାରୀ କହିଛନ୍ତି କି ଏହାକୁ ମିଶାଇ ଶଶିକଳାଙ୍କର ମୋଟ ୨ ହଜାର କୋଟିର ସଂପତ୍ତି ଜବତ୍ ହୋଇସାରିଲାଣି । କେଉଁଠୁ କେତେ ସଂପତ୍ତି ଜବତ୍ ହୋଇଛି ତାର ସଂପୂର୍ଣ୍ଣ ତଥ୍ୟ ଆୟକର ବିଭାଗ ଦେଇ ନଥିବା ବେଳେ ପୂର୍ବମାସ ୩ ଶହ କୋଟି ଟଙ୍କାର ସଂପତ୍ତି ଜବତ ହୋଇଥିବା ସୂଚନା ମିଳିଥିଲା ।

ଜାତୀୟ ଗଣମାଧ୍ୟମ ସୂତ୍ର ମୁତାବକ ଜବତ ହୋଇଥିବା ସଂପତ୍ତି ମଧ୍ୟରେ ରହିଛି ଜୟଲଳିତାଙ୍କ ବେଦ ନିଲୟମ୍ ନିକଟରେ ଥିବା ଜମି । ଯେଉଁ ଜମି ଉପରେ ଶ୍ରୀହରି ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ ତିଆରି ହୋଇଥିଲା କୋଠା । ଏହାର ନିର୍ଦ୍ଦେଶକ ଶଶିକଳାଙ୍କ ସଂପର୍କୀୟ ଥିଲେ ବୋଲି ଜଣାପଡିଛି । ଜମି ଜବତ ପରେ ଆୟକର ଅଧିକାରୀ କହିଛନ୍ତି କି କମ୍ପାନି ପାଖରେ ନା ଥିଲା କିଛି ବ୍ୟବସାୟ ନା କୌଣସି ଅର୍ଥ କାରବାର ।

ପୂର୍ବ ବର୍ଷ ବି ଶଶିକଳାଙ୍କର ୧୫ ଶହ କୋଟିର ସଂପତ୍ତି ଜବତ କରିଥିଲା ଆୟକର ବିଭାଗ । ଜବତ ହୋଇଥିବା ସଂପତ୍ତି ଶଶିକଳା ଓ ତାଙ୍କ ସଂପର୍କୀୟଙ୍କ ନାମରେ ରହିଥିଲା । ଏହି ସଂପତ୍ତିକୁ ବେନାମୀ ଅଧିନିୟମ ଅଧିନରେ ଜବତ୍ କରାଯାଇଥିଲା । ଚେନ୍ନାଇ, କୋଇମ୍ବାଟୁର, ପୁଡୁଚେରୀ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଥିବା ଏହି ସଂପତ୍ତିକୁ ଶଶିକଳା କିମ୍ବା ତାଙ୍କ ସଂପର୍କୀୟ ସରକାରଙ୍କୁ ଦେଇଥିବା ସଂପତ୍ତି ତାଲିକାରେ ନ ଥିଲା ।

ସମ୍ବନ୍ଧିତ ଖବର