ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରୁ ଜବତ ହେଲା ପୁଳା ପୁଳା ଟଙ୍କା

କୋଲକାତା : ପଶ୍ଚିମବଙ୍ଗର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ଆଜି ପ୍ରତିଭୂତି ନିର୍ଦ୍ଦେଶାଳୟ (ଇଡି) ଚଢଉ କରି ନଗଦ ୨୦ କୋଟି ଟଙ୍କା ଜବତ କରିଛି ।

ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଆଜି ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା । ପାର୍ଥ ରାଜ୍ୟର ଶିକ୍ଷା ମନ୍ତ୍ରୀ ଥିବାବେଳେ ଏସବୁ ଦୁର୍ନୀତି ହୋଇଥିବା ଇଡି ଜାଣିବାକୁ ପାଇଛି ।

ଇଡି ଅଧିକାରୀମାନେ ଅର୍ପିତାଙ୍କ ଘର ଖାନତଲାସୀ ବେଳେ ବିଡ଼ା ବିଡ଼ା ୨ ହଜାର ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ ଗଦା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ଏହି ଅର୍ଥ ସଂଗ୍ରହ କରାଯାଇଥିବା ଜଣାଯାଇଛି ।

ଏହି ଦୁର୍ନୀତିର ତଦନ୍ତ ସିବିଆଇ ମଧ୍ୟ କରୁଛି । ଗତ ମେ ମାସରେ ସିବିଆଇ ଏହି ମାମଲାରେ ପାର୍ଥଙ୍କୁ ପଚରାଉଚୁରା କରିଥିଲା । କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରୁଛି ।

ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ବା ଏସଏସସିରେ ହୋଇଥିବା ଏହି ନିଯୁକ୍ତି କେଳେଙ୍କାରି ୨୦୧୪ରୁ ୨୦୧୬ ମଧ୍ୟରେ ହୋଇଥିଲା । ନିଯୁକ୍ତି ପରୀକ୍ଷା ଦେଇଥିବା କେତେକ ଲୋକ ଅଭିଯୋଗ କରିଥିଲେ ଯେ କମ ମାର୍କ ରଖିଥିବା ପ୍ରାର୍ଥୀମାନେ ଲାଞ୍ଚ ଦେଇ ଚାକିରି ପାଇଛନ୍ତି ।

 

ସମ୍ବନ୍ଧିତ ଖବର