ବିପଦରେ ୨୫ ହଜାର କୋଟିର ବିଜ୍ଞାପନ, ଅସାଧୁ ଟିଭି ଚ୍ୟାନେଲଙ୍କ ଟିଆର୍‌ପି ଖେଳ

୮୪ କୋଟି ଦର୍ଶକଙ୍କ ପାଇଁ ୪୪ ହଜାର ମିଟର, ରେଟିଂରେ ଦୁର୍ନୀତି, ବାସ୍ତବ ତଥ୍ୟ ସାମ୍ନାକୁ ଆସୁନି

ନୂଆଦିଲ୍ଲୀ: ମୁମ୍ବାଇ ପୁଲିସ ପକ୍ଷରୁ ନିକଟରେ ୩ଟି ଟିଭି ଚ୍ୟାନେଲ ପକ୍ଷରୁ ଟିଆର୍‌ପି ବଢ଼ାଇବା ପାଇଁ ହୋଇଥିବା ଦୁର୍ନୀତିକୁ ପଦାକୁ ଅଣାଯାଇଛି। ଏହାପରେ ଟିଭି ରେଟିଂ ପଏଣ୍ଟ୍‌ (ଟିଆର୍‌ପି)କୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଟିଆର୍‌ପି ଆଧାରରେ ବିଜ୍ଞାପନ ସଂସ୍ଥା ଗୁଡ଼ିକ ଚ୍ୟାନେଲଗୁଡ଼ିକୁ ବିଜ୍ଞାପନ ଦେଇଥାନ୍ତି। ଭାରତରେ ଟିଭି ବିଜ୍ଞାପନ ଶିଳ୍ପର ଆକାର ପ୍ରାୟ ୨୫ ହଜାର‌ କୋଟିରେ ରହିଛି। ତେଣୁ ଏହି ବିଜ୍ଞାପନ ଏବେ ବିପଦରେ। ବ୍ୟବସ୍ଥାରେ ସୁଧାର ନଆସିଲେ ବିଜ୍ଞାପନଦାତା ଟିଭି ଚ୍ୟାନେଲ ଛାଡ଼ି ଡିଜିଟାଲ ପ୍ଲାଟଫର୍ମକୁ ପଳାଇ ଯିବାର ଆଶଙ୍କାକୁ ଏଡ଼ାଇ ହେବନାହିଁ। ମୁମ୍ବାଇର ରେଟିଂ ସ୍କାମ୍ ବା ଦୁର୍ନୀତି ପଦାକୁ ଆସିବା ପରେ ‘ବାର୍କ’ର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଶରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ପ୍ରାୟ ୮୪ କୋଟି। କିନ୍ତୁ ଟିଆର୍‌ପି ମାପିବା ପାଇଁ ୪୪ ହଜାର ଘରେ ମିଟର ଲାଗିଛି। ମୁମ୍ବାଇରେ ନମୁନା ପାଇଁ ନିଆଯାଇଥିବା ୫ଟି ଘରେ ରେଟିଂରେ ଏପଟସେପଟ ପାଇଁ ଉଦ୍ୟମ କରାଯାଇଥିଲା। ଟିଭି ଦର୍ଶକମାନଙ୍କୁ ନିର୍ଦ୍ଦି‌ଷ୍ଟ ଚ୍ୟାନେଲକୁ ଅଧିକ ସମୟ ଦେଖିବା ପାଇଁ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। କିନ୍ତୁ ଟିଭି ଚ୍ୟାନେଲ କ୍ଷେତ୍ରରେ ରେଟିଂ ବଢ଼ାଇବାରେ ଏହା ବଡ଼ ପ୍ରଭାବ ପକାଇବା ସାମର୍ଥ୍ୟ ରଖିଛି। ବିଶେଷକରି କମ୍ ଦର୍ଶକ ଦେଖୁଥିବା ଇଂରାଜୀ ଚ୍ୟାନେଲ, ନୂଆ ବର୍ଗର ଇନଫୋ‌ଟେନମେଣ୍ଟ ଚ୍ୟାନେଲ ଏବଂ ଏପରିକି କେତେକ ଆଞ୍ଚଳିକ ଭାଷାର ଚ୍ୟାନେଲ ପାଇଁ ଏହା ବଡ଼ଧରଣର ପରିବର୍ତ୍ତନ ଆଣିପାରେ।

ଜାଲିଆତି ପାଇଁ ଦିଆଯାଏ ୧୫୦-୭୫୦ ଟଙ୍କା

ଏଠାରେ ମୁମ୍ବାଇ ଘଟଣାକୁ ଉଦାହରଣ ଭାବେ ନିଆଯାଉ। ଏହି ମହାନଗରୀରେ ବାର୍କ ଇଣ୍ଡିଆ ପକ୍ଷରୁ ୨ ହଜାରରୁ ଅଧିକ ମିଟର ଲଗାଯାଇଛି। ସାରା ଦେଶରେ ଲଗାଯାଇଥିବା ୪୪ ହଜାର ମିଟରକୁ ଦେଖିଲେ ଏହି ସଂଖ୍ୟା ପ୍ରାୟ ୫ ପ୍ରତିଶତ। ଇଂରାଜୀ ନ୍ୟୁଜ ଚ୍ୟାନେଲଗୁଡ଼ିକର ଗତ ସପ୍ତାହର ଦର୍ଶକ ସଂଖ୍ୟାକୁ ‌ଦେଖିଲେ ମୁମ୍ବାଇରେ ଏହା ୦.୪ ପ୍ରତିଶତ ରହିଥିଲା। ସପ୍ତାହ ସାରା ଏଠାରେ ଲୋକମାନେ ପ୍ରତି ଇଂରାଜୀ ଚ୍ୟାନେଲକୁ ୧୫ ମିନିଟ୍ ଦେଖିଛନ୍ତି। ବିସ୍ତୁତଃ ମିଟର ଲାଗିଥିବା ୮ଟି ଘରର ଲୋକେ ଗତ ସପ୍ତାହରେ ଏସବୁ ଚ୍ୟାନେଲ ଦେଖିଥିଲେ। କାରସାଦି ଯୋଗୁ କିନ୍ତୁ ଉକ୍ତ ଚ୍ୟାନେଲ ଗୁଡ଼ିକର ରେଟିଂ ବଢ଼ିଯାଇଥିଲା। ଯଦି ଏହି ମିଟର ଲାଗିଥିବା ୨ଟି ଘରକୁ ଗୋଟିଏ ଚ୍ୟାନେଲ ଟାର୍ଗେଟରେ ରଖେ ଏବଂ ସେମାନଙ୍କୁ ୧୫ ମିନିଟ ପରିବର୍ତ୍ତେ ୨ ଘଣ୍ଟା ଚ୍ୟାନେଲ ଦେଖିବା ପାଇଁ ଲାଞ୍ଚ ଦିଏ ତାହେଲେ ସେହି ଚ୍ୟାନେଲର ରେଟିଂ କେବଳ ମୁମ୍ବାଇରେ ୧୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ ବୋଲି ଆକଳନ କରାଯାଇଛି।

ଟିଆର୍‌ପି ପାଇଁ ମିଟର କାହା ଘରେ ଲଗାଯାଇଛି ତାହାକୁ ଅତ୍ୟନ୍ତ ଗୋପନୀୟ ରଖିବାକୁ ଉଦ୍ୟମ କରାଯାଇଥାଏ। କିନ୍ତୁ ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ଯଦି କୌଣସି ଚ୍ୟାନେଲ ଧରିପାରିଲା ତା’ହେଲେ ତାକୁ ଲାଞ୍ଚ ଦେଇ ଅଧିକ ସମୟ ତାଙ୍କ ଚ୍ୟାନେଲ ଦେଖିବା ପାଇଁ ପ୍ରୋତ୍ସାହିତ କରିବା ଆଶଙ୍କା ରହିଛି। ଅଧିକ ସଂଖ୍ୟକ ଦର୍ଶକ ଥିବା ଆମୋଦପ୍ରମୋଦ ଚ୍ୟାନେଲଗୁଡ଼ିକ ପାଇଁ ଏହି କାରସାଦି ସେତେଟା ଫଳପ୍ରଦ ହୋଇ ନଥାଏ। କିନ୍ତୁ କମ୍ ସଂଖ୍ୟକ ଦର୍ଶକ ଥିବା ଚ୍ୟାନେଲଗୁଡ଼ିକ ପାଇଁ ଏଥିରେ ପରିବର୍ତ୍ତନ ଆଣିବାର ସମସ୍ତ ସମ୍ଭାବନା ରହିଥାଏ। ଭାରତରେ ଟିଭି ପାଇଁ ରେଟିଂ ବ୍ୟବସ୍ଥା ଆରମ୍ଭ ହେବାପରେ ଅନେକ ଚ୍ୟାନେଲ ଏଥିରେ ଜାଲିଆତି କରିବା ପାଇଁ ଅସାଧୁ ଉପାୟ ଅବଲମ୍ବନ ଉଦ୍ୟମ କରିଆସୁଛନ୍ତି। ଦେଶରେ ଏବେ ଟିଭି ରେଟିଂ ବାର୍କ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍‌) ପ୍ରଦାନ କରୁଛି। କିନ୍ତୁ ବାର୍କ ପୂର୍ବରୁ ନିଲସନ୍‌ ଆଣ୍ଡ କାନ୍ତର୍‌ ସହ ମିଶି ଟିଏଏମ ଏହା ପ୍ରଦାନ କରୁଥିଲା। ଉକ୍ତ ସଂସ୍ଥାକୁ ମଧ୍ୟ ଏହି ପ୍ରସଙ୍ଗରେ ସାଂଘାତିକ ମାତ୍ରାରେ ସମାଲୋଚିତ ହେବାକୁ ପଡ଼ିଥିଲା। ଏପରିକି ଏକ ଟିଭି୯’ର ଭାରତବର୍ଷ ନାମକ ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲ ସହ ମିଶି ବାର୍କ ଦର୍ଶକ ସଂଖ୍ୟାରେ ଏପଟସେପଟ କରିବା ପାଇଁ ଉଦ୍ୟମ କରିବା ଅଭିଯୋଗରେ ନ୍ୟୁଜ୍ ବ୍ରଡକାଷ୍ଟିଂ ଆସୋସିଏସନ (ଏନ୍‌ବିଏ) ବାର୍କକୁ ଗତ ଜୁଲାଇରେ ସମାଲୋଚନା କରିଥିଲା। ଏଥିରୁ ପ୍ରମାଣିତ ହୋଇଛି ଯେ ରେଟିଂ ବ୍ୟବସ୍ଥାରେ ଅନେକ ଦୁର୍ବଳତା ରହିଛି ବୋଲି ଏନ୍‌ବିଏର ସଭାପତି ରଜତ ଶର୍ମା କହିଛନ୍ତି। ମୁମ୍ବାଇରେ ହୋଇଥିବା ସ୍କାମକୁ ବାର୍କ ପକ୍ଷରୁ ଏକପ୍ରକାର ସ୍ବୀକାର କରାଯାଇଛି। ଶ୍ରୀ ଶର୍ମାଙ୍କ କହିବାନୁଯାୟୀ, ରେଟିଂରେ ଦୁର୍ନୀତି ଯୋଗୁ ଭାରତୀୟମାନେ କେଉଁସବୁ ଚ୍ୟାନେଲ ଦେଖୁଛନ୍ତି ତାହାର ମିଥ୍ୟା ତଥ୍ୟ ସାମ୍ନାକୁ ଆସୁଛି। ଏପରିକି ଏଥିଯୋଗୁ ନ୍ୟୁଜ୍‌ରୁମ୍‌ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଓ କର୍ମଚାରୀଙ୍କ ଉପରେ ଅଯଥା ଚାପ ସୃଷ୍ଟି ହେଉଛି।

ଟିଭି ଚ୍ୟାନେଲଗୁଡ଼ିକ ସେମାନଙ୍କ ରାଜସ୍ବ ପାଇଁ ବିଜ୍ଞାପନ ଉପରେ ନିର୍ଭର କରିଥାନ୍ତି। ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ବା ବାନ୍ଧି ରଖିବା ପାଇଁ ଉନ୍ନତମାନର ବିଷୟବସ୍ତୁ ପରିବେଷଣ କରିବା ପରିବର୍ତ୍ତେ ସେମାନେ ଏଭଳି ଉପାୟରେ ରେଟିଂ ବଢ଼ାଇବାକୁ ଉଦ୍ୟମ କରୁଛନ୍ତି। ଅଳ୍ପ କିଛି ଟଙ୍କା ଲାଞ୍ଚ ଦେଇଥିଲେ ବା ଅର୍ଥ ଖର୍ଚ୍ଚ କରିଦେଲେ ଯଦି ରେଟିଂରେ ଯଦି ବଡ଼ ପରିବର୍ତ୍ତନ ଆସିପାରୁଛି ତା’ହେଲେ ଅପେକ୍ଷାକୃତ କଷ୍ଟକର ପନ୍ଥା ସେମାନେ କାହିଁକି ଆପଣାଇବେ ବୋଲି କିଛି ଟିଭି ଚ୍ୟାନେଲର ଅଧିକାରୀମାନେ ମତ ଦେଇଛନ୍ତି। ମିଟର ଲଗାଇବା ଓ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବାର୍କ ଇଣ୍ଡିଆ ତୃତୀୟ ପକ୍ଷ ସଂସ୍ଥାକୁ ଦାୟିତ୍ବ ପ୍ରଦାନ କରିଛି। ଏଥିପାଇଁ ମିଟର ଲାଗିଥିବା ବ୍ୟକ୍ତିଙ୍କୁ ମାସିକ ସଂସ୍ଥା ପକ୍ଷରୁ ୧୫୦ ଟଙ୍କାରୁ ୭୫୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯାଇଥାଏ। ରେଟିଂ ବ୍ୟବସ୍ଥାରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରିବା ପାଇଁ ବାର୍କ ପୂର୍ବରୁ ଉଦ୍ୟମ ଚଳାଇଛି। ୨୦୧୭ ଏପ୍ରିଲରେ ଅବସରପ୍ରାପ୍ତ ବିଚାରପତି ମୁକୁଲ ମୁଦଗଲଙ୍କ ଅଧ୍ୟକ୍ଷତାରେ ୬ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ତେବେ ରେଟିଂ ଦୁର୍ନୀତି କରୁଥିବା ଅପରାଧୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି। ଏଥିସହିତ ଦେଶରେ ମିଟର ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି । ଏହାହେଲେ କାରସାଦି କରାଗଲେ ମଧ୍ୟ ରେଟିଂ ଉପରେ ଏହାର ପ୍ରଭାବ ସେତେଟା ରହିବ ନାହିଁ।

ସମ୍ବନ୍ଧିତ ଖବର