ସାବାଳକଙ୍କ ୭୦% ଟିକାକରଣ ପାଇଁ ୩୦,୦୦୦ କୋଟି ଟଙ୍କା ଲୋଡ଼ା

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ୪୫ ବର୍ଷରୁ ଅଧିକ ବୟସ୍କଙ୍କ କୋଭିଡ୍‌-୧୯ ଟିକାକରଣ ଜାରି ରହିଥିବା ବେଳେ ଆଗାମୀ ପହିଲାରୁ ସମସ୍ତ ସାବାଳକଙ୍କୁ ଏଥିରେ ସାମିଲ କରିବାକୁ ସରକାର ଘୋଷଣା କରିଛନ୍ତି। ତେବେ ଦେଶର ୧୮ ବର୍ଷରୁ ୪୪ ବର୍ଷ ବୟସ ଯାଏ ସାମିଲ ହେବାକୁ ଥିବା ଏହି ନୂତନ ହିତାଧିକାରୀଙ୍କର ୭୦ ପ୍ରତିଶତ ଟିକାକରଣ ପାଇଁ ୩୦,୦୦୦ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି ବୋଲି ଏକ ହିସାବରୁ ଜଣାଯାଇଛି। କାରଣ ଏହି ନୂତନ ବର୍ଗର ହିତାଧିକାରୀଙ୍କୁ ଆଉ କେନ୍ଦ୍ର ସରକାର ପୂର୍ବ ହିତାଧିକାରୀଙ୍କ ଭଳି ମାଗଣାରେ ଟିକା ପ୍ରଦାନ କରିବେ ନାହିଁ। ତାହାକୁ ରାଜ୍ୟମାନେ ନିଜ ସୁବିଧାରେ ଦେବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଏହି ତୃତୀୟ ଦଫାରେ ଟିକା ନେବାକୁ ଥିବା ପ୍ରାୟ ସାଢ଼େ ୫୫ କୋଟି ନୂତନ ବର୍ଗର ହିତାଧିକାରୀଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କର ଟିକାକରଣ ପାଇଁ ଜଣକୁ ଦୁଇଟି ମାତ୍ରା ହିସାବରେ ୭୫ କୋଟି ଟିକାର ମାତ୍ରା ଆବଶ୍ୟକ। ତଦନୁସାରେ ସେଥିପାଇଁ କେବଳ ସର୍ବନିମ୍ନ ଟିକା ଖର୍ଚ୍ଚ ୩୦,୦୦୦ କୋଟି ଟଙ୍କା ପଡ଼ିବ। ବାସ୍ତବ ହିତାଧିକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବା ବେଳେ ରାଜ୍ୟମାନଙ୍କୁ ଏହି ଟିକାକରଣରେ ଅତି କମ୍‌ରେ ୩୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି। ସେଥି ମଧ୍ୟରୁ ଏହି ନୂତନ ବର୍ଗର ହିତାଧିକାରୀଙ୍କ ଅନୁପାତରେ ଉତ୍ତରପ୍ରଦେଶକୁ ସର୍ବାଧିକ ୫,୨୬୫ କୋଟି ଟଙ୍କା ବହନ କରିବାକୁ ଥିବା ବେଳେ ଦିଲ୍ଲୀକୁ ସର୍ବନିମ୍ନ ୪୫୮ କୋଟି ଖର୍ଚ୍ଚ କରିବାକୁ ହେବ। ସେହିପରି ମହାରାଷ୍ଟ୍ରକୁ ୨,୮୭୮ କୋଟି, ବିହାରକୁ ୨,୫୮୬ କୋଟି, ପଶ୍ଚିମବଙ୍ଗକୁ ୨,୩୪୧ କୋଟି, ଆନ୍ଧ୍ର ଓ ତେଲେଙ୍ଗାନାକୁ ୨,୧୭୩ କୋଟି, ମଧ୍ୟପ୍ରଦେଶକୁ ୧,୮୯୦ କୋଟି, ରାଜସ୍ଥାନକୁ ୧,୮୦୩ କୋଟି, ତାମିଲନାଡୁକୁ ୧,୭୫୪ କୋଟି, କର୍ଣ୍ଣାଟକକୁ ୧,୫୭୩ କୋଟି, ଗୁଜରାଟକୁ ୧,୫୫୯ କୋଟି ଏବଂ ଓଡ଼ିଶାକୁ ୧,୦୪୯ କୋଟି ସହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର