ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ବିଶେଷ କରି ପାକିସ୍ତାନ ଓ ଚୀନ୍ ପକ୍ଷରୁ ଦେଶର ସୁରକ୍ଷା ପ୍ରତି ଏବେ ବିପଦ ଦେଖାଦେଇଛି! ଭାରତ- ପାକ୍ ସୀମାରେ ପାକିସ୍ତାନ ପ୍ରତ୍ୟେକ ଦିନ ଅସ୍ତ୍ର ବିରତି ଉଲ୍ଲଂଘନ କରି ସୀମାନ୍ତରେ ଗୁଳି ବର୍ଷା କରୁଛି। ଏପ୍ରକାର ସ୍ଥିତିରେ ବିଳମ୍ବରେ ହେଲେ ସୁଦ୍ଧା ସରକାର ଚେତିଛନ୍ତ। ସୀମାନ୍ତରେ ଭିତ୍ତିଭୂମିର ବିକାଶ ସହ ବଙ୍କର ନିର୍ମାଣ ଉଦ୍ଦେଶ୍ୟରେ ବିଏସ୍ଏଫ୍ ଓ ଆଇଟିବିପିକୁ ୩୭୦ କୋଟି ଟଙ୍କା କେନ୍ଦ୍ର ଗୃହ ମନ୍ତ୍ରାଳୟ ମଞ୍ଜୁର କରିଛି।
ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍) ଓ ଇଣ୍ଡୋ ତିବ୍ଦତାନ ବର୍ଡର ପୋଲିସ୍ (ଆଇଟିବିପି)କୁ ମଞ୍ଜୁର କରାଯାଇଥିବା ୩୬୯.୮୪ କୋଟି ଟଙ୍କାରେ ଭାରତ-ପାକ୍ ଓ ସିନୋ-ଭାରତ ସୀମାନ୍ତରେ ବ୍ୟାପକ ସଂଖ୍ୟାରେ ବଙ୍କର ସହ, ପାଣିପାଗ- ନିୟନ୍ତ୍ରଣକାରୀ (କ୍ଲାଇମେଟ୍ କଣ୍ଟ୍ରୋଲଡ୍) କୁଡ଼ିଆ ସବୁ ନିର୍ମାଣ କରାଯିବ ଏବଂ ସୀମାନ୍ତରେ ପହରା ଦେବାପାଇଁ ବରଫ ଉପରେ ଚାଲି ପାରୁଥିବା ସ୍କୁଟର କିଣାଯିବ। ତେବେ, ସୀମା ସୁରକ୍ଷା ବାବଦରେ ଗୃହ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର କରାଯାଇଥିବା ଏହି ଅର୍ଥ ସମୁଦ୍ରକୁ ଶଙ୍ଖେ ବୋଲି ପ୍ରତିରକ୍ଷା ବିଶାରଦମାନେ କହିଛନ୍ତି।
/sambad/media/post_attachments/wp-content/uploads/2018/01/Indian-Army-Bunker-300x169.jpg)
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଏସ୍ଏଫ୍ ଜବାନମାନେ ଭାରତ-ପାକ୍ ସୀମାନ୍ତରେ ୨,୫୨୬.୮୬ କିଲୋମିଟର ବ୍ୟାପି ସୀମା (୨୩୭.୨ କିଲୋମିଟର ନିୟନ୍ତ୍ରଣ ରେଖା ସମେତ), ଭାରତ-ବାଙ୍ଗଲାଦେଶ ସୀମାନ୍ତରେ ୪୦୯୬.୭ କିଲୋମିଟର ବ୍ୟାପି ସୀମାର ସୁରକ୍ଷା କରିଥାଆନ୍ତି।
ସେହିପରି ଆଇଟିବିପି ଜବାନମାନେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଓ ଅରୁଣାଚଳ ପ୍ରଦେଶ ଦେଇ ଯାଇଥିବା ସିନୋ- ଭାରତ ସୀମାନ୍ତର ୩.୪୮୮ କିଲୋମିଟର ଦୀର୍ଘ ସୀମାର ସୁରକ୍ଷା କରିଥାଆନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆଇଟିବିପି ଜବାନମାନେ ସମୁଦ୍ରପତନ ଠାରୁ ୧୮,୭୫୦ ଫୁଟ ଉଚ୍ଚତାରେ ବିଯୁକ୍ତ ୪୦ ଡିଗ୍ରି ସେଲ୍ସିୟସ୍ ତାପମାତ୍ରା ମଧ୍ୟରେ ମୁତୟନ ରହି ନିଜ କାର୍ଯ୍ୟ ସଂପାଦନ କରିଥାଆନ୍ତି।