ପାଣାଜୀ: ମହାରାଷ୍ଟ୍ର ପରେ ଏବେ ଗୋଆରେ ରାଜନୈତିକ ତାତି ଦେଖାଦେଇଛି। ଏଠାରେ କଂଗ୍ରେସ ଦଳରେ କନ୍ଦଳ ଦେଖିବାକୁ ମିଳିଛି | କୁହାଯାଉଛି ଯେ ଦଳର ୯ ଜଣ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି । ତେବେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ପାଇଁ ସମସ୍ତ ପ୍ରୟାସ ଚାଲିଛି। ଏମଧ୍ୟରେ ଗୋଆ କଂଗ୍ରେସର ପୂର୍ବତନ ମୁଖ୍ୟ ଗିରିଶ ଚୋଡନକର ଅଭିଯୋଗ କରିଛନ୍ତି ଯେ, ବିଜେପିରେ ଯୋଗଦେବା ପାଇଁ ଦଳର ବିଧାୟକଙ୍କୁ ୪୦କୋଟି ଟଙ୍କା ପ୍ରଦାନ କରାଯାଇଛି।

Advertisment

ଚୋଡନକରଙ୍କ ଅନୁଯାୟୀ, ଶିଳ୍ପପତି ତଥା କୋଇଲା ମାଫିଆଙ୍କ ଦ୍ବାରା କଂଗ୍ରେସ ବିଧାୟକମାନଙ୍କୁ କଲ କରାଯାଉଛି। ଶିଳ୍ପପତି ତଥା କୋଇଲା ମାଫିଆ ଯୋଗାଯୋଗ କରିଥିବା ନେଇ କିଛି ବିଧାୟକ କଂଗ୍ରେସର ଗୋଆ ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓଙ୍କୁ ଜଣାଇଛନ୍ତି। ତେବେ ବିଜେପି ଏହି ଅଭିଯୋଗକୁ ଖାରଜ କରିଛି।

ଆପଣଙ୍କୁ କହିରଖୁଛୁ ଯେ ଗୋଆରେ କଂଗ୍ରେସର ମାତ୍ର ୧୧ ଜଣ ବିଧାୟକ ଅଛନ୍ତି, ସେଥିମଧ୍ୟରୁ ୯ ଜଣ ବିଧାୟକ ବର୍ତ୍ତମାନ ବିଜେପିରେ ଯୋଗଦେବାକୁ ରାଜି ହୋଇଛନ୍ତି। ଯଦି ଏହା ହୁଏ ତେବେ ଦଳ ଭାଙ୍ଗିଯିବ ଏବଂ ଦଳ ପରିବର୍ତ୍ତନ କରିଥିବା ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। କାରଣ ସେମାନଙ୍କ ସଂଖ୍ୟା ମୋଟ ବିଧାୟକଙ୍କ ସଂଖ୍ୟାଠାରୁ ବହୁତ ଅଧିକ ରହିବ। କୁହାଯାଉଛି ଯେ ବିଦ୍ରୋହୀମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ମଧ୍ୟ ଅଛନ୍ତି, ଯାହାଙ୍କ ନେତୃତ୍ୱରେ ଅନ୍ୟ ବିଧାୟକମାନେ ବିଜେପିରେ ଯୋଗ ଦେଇପାରନ୍ତି ।