ମନରେଗାକୁ ପୁଣି ୪୦ ହଜାର କୋଟି

ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ଟିଭି ଚ୍ୟାନେଲ୍‌
ପ୍ରତି ଜିଲ୍ଲାରେ ‘ସଂକ୍ରାମକ ରୋଗ ହସ୍ପିଟାଲ୍‌ ବ୍ଲକ୍’
ଅଧିକ ଋଣ କରିବାକୁ ରାଜ୍ୟଗୁଡ଼ିକୁ ଅନୁମତି

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନର ପଞ୍ଚମ ତଥା ଶେଷ ଭାଗରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାତଟି ପଦକ୍ଷେପ ଘୋଷଣା କରିଛନ୍ତି। ଗାଁକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାରର ମାଧ୍ୟମ ଯୋଗାଇବା ଲାଗି ମନରେଗା ଉପରେ କେନ୍ଦ୍ର ସରକାର ଭରସା କରିଛନ୍ତି। ମନରେଗା ପାଇଁ ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ଦିଆଯିବ। ଚଳିତ ବର୍ଷ ବଜେଟ୍‌ରେ ମନରେଗା ଲାଗି ୬୧ ହଜାର କୋଟି ଟଙ୍କାର ଅଟ୍ଟକଳ ଧାର୍ଯ୍ୟ କରାଯାଇଥିଲା। ଏହା ବାଦ ଆଉ ୪୦ ହଜାର କୋଟି ଟଙ୍କା ଦିଆଯିବ। ଏହା ଜରିଆରେ ୩୦୦ କୋଟି କାର୍ଯ୍ୟଦିବସ ସୃଷ୍ଟି ହେବ। ମନରେଗା ଜରିଆରେ ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ବ୍ୟବସ୍ଥା ଭଳି ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବାକୁ ଉଦ୍ୟମ କରାଯିବ।

ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ମନରେଗା, ସ୍ବାସ୍ଥ୍ୟ, ଶିକ୍ଷା, କଂପାନି ନିୟମ, ଏମ୍‌ଏସ୍‌ଏମ୍‌ଇ, ବ୍ୟବସାୟ ବାତାବରଣକୁ ସହଜ କରିବା, ରାଜ୍ୟ ସରକାରଙ୍କ ପାଇଁ ଅଧିକ ଋଣର ବ୍ୟବସ୍ଥା କରିବା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମ୍ପର୍କରେ ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାର ଅଧିକ ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛନ୍ତି। ଭବିଷ୍ୟତର ମହାମାରୀ ମୁକାବିଲା କରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବ। ପ୍ରତି ଜିଲ୍ଲାରେ ସଂକ୍ରାମକ ରୋଗ ହସ୍ପିଟାଲ୍ ବ୍ଲକ୍ ରହିବ। ବ୍ଲକ୍‌ ସ୍ତରରେ ସାର୍ବଜନୀନ ସ୍ବାସ୍ଥ୍ୟ ୟୁନିଟ୍ ରହିବ ଓ ଲାବୋରେଟୋରି ଖୋଲାଯିବ। ଉଭୟ ଘରୋଇ ଓ ସରକାରୀ ପାଣ୍ଠି ବିନିଯୋଗ କରି ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତନ ଅଣାଯିବ।

ସେହିପରି ଶିକ୍ଷା କ୍ଷେତ୍ର ପାଇଁ ପିଏମ୍ ଇ-ବିଦ୍ୟା ଯୋଜନା ଘୋଷଣା କରାଯାଇଛି। ଦେଶ ପାଇଁ ଏକ ଡିଜିଟାଲ୍‌ ଅନ୍‌ଲାଇନ୍ ଶିକ୍ଷାର ବ୍ୟବସ୍ଥା କରାଯିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀ ପାଇଁ ଗୋଟିଏ ଲେଖାଏଁ ଟିଭି ଚ୍ୟାନେଲ୍‌ ଖୋଲି ସେଥିରେ ପାଠପଢ଼ାଯିବ। ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି।

କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟଗୁଡ଼ିକୁ ସହାୟତା ଦେବା ଲାଗି ପଦକ୍ଷେପ ଘୋଷଣା କରାଯାଇଛି। ରାଜ୍ୟଗୁଡ଼ିକୁ ଅଧିକ ଋଣ କରିବାର ଅନୁମତି ଦିଆଯାଇଛି। ସେମାନେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫% ପର୍ଯ୍ୟନ୍ତ ଋଣ କରିପାରିବେ। ପୂର୍ବରୁ ଏହି ସୀମା ଜିଡିପିର ୩% ଥିଲା।

ବ୍ୟବସାୟ ଜଗତର ବୋଝକୁ ହାଲୁକା କରିବାକୁ ଉଦ୍ୟମ କରାଯାଇଛି। ଏକ ବର୍ଷ ପର୍ଯ୍ୟନ୍ତ ଇନ୍‌ସଲଭେନ୍ସି (ଦେବାଳିଆ) ମାମଲା ଉପରେ ରୋକ ଲଗାଯାଇଥିବା ବେଳେ ଏଥିପାଇଁ ରହିଥିବା ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୧ କୋଟି ଟଙ୍କା କରାଯାଇଛି। ଫଳରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ବଡ଼ ଧରଣର ଆଶ୍ବସ୍ତି ମିଳିଛି। ଋଣ ଖିଲାପରୁ କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ହୋଇଥିବା ଋଣକୁ ବାଦ ଦିଆଯିବ ବୋଲି ଘୋଷଣା କରାଯାଇଛି। କଂପାନି ନିୟମରେ ରଫାଦଫା ଯୋଗ୍ୟ ଥିବା ଧାରାଗୁଡ଼ିକୁ କୋହଳ କରାଯାଇଛି। ଏକ ସ୍ବତନ୍ତ୍ର ବ୍ୟବସ୍ଥା ଜରିଆରେ ସେହି ମାମଲାଗୁଡ଼ିକର ସମାଧାନ କରାଯିବ। ଫଳରେ କୋର୍ଟ ଓ ଏନ୍‌ସିଏଲ୍‌ଟିରେ ମାମଲା ସଂଖ୍ୟା ହ୍ରାସ ପାଇବ। ବ୍ୟବସାୟ ବାତାବରଣକୁ ସହଜ କରିବା ଲାଗି ମଧ୍ୟ ପଦକ୍ଷେପ ଘୋଷଣା କରାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ର ପାଇଁ ନୂଆ ନୀତି ଅଣାଯିବ। ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଉପସ୍ଥିତି ଦରକାର ତାହାର ଏକ ତାଲିକା ପ୍ରସ୍ତୁତ କରାଯିବ। ସେହି ସବୁ କ୍ଷେତ୍ରରେ ୧-୪ ପର୍ଯ୍ୟନ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସ୍ଥାପନ କରାଯିବ। ଏହି ପ୍ରକ୍ରିୟାରେ ଘରୋଇ କଂପାନିଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

ସମ୍ବନ୍ଧିତ ଖବର