ଚେନ୍ନାଇ : ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ବାରା ୨୦୧୨ ମସିହାର ଏକ ଚଢ଼ଉ ସମୟରେ ୧୦୩ କିଲୋ ସୁନା ଜବତ ହୋଇଥିଲା। ଏହି ଜବତ ସୁନାର ମୂଲ୍ୟ ପ୍ରାୟ ୪୫ କୋଟି। ସୁନାକୁ ସିବିଆଇ ହେପାଜତରେ ରଖାଯାଇଥିଲା। କିନ୍ତୁ ଏବେ ଏହି ସୁନା ସିବିଆଇ ହେପାଜତରୁ ଗାଏବ ହୋଇଯାଇଛି। ତାମିଲନାଡ଼ୁର ସିବି-ସିଆଇଡି ଉକ୍ତ ଘଟଣାର ତଦନ୍ତ କରିବାପାଇଁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଉକ୍ତ ଘଟଣା ସମ୍ପର୍କରେ ଜଣାପଡ଼ିଛି।
୨୦୧୨ ସିହାରେ ସିବିଆଇ ସୁରନା କର୍ପୋରେସନ୍ ଲିମିଟେଡ୍ରେ ଚଢ଼ଉ କରି ୪୦୦.୫ କେଜି ସୁନା ଜବତ କରିଥିଲା। ଏହି ସୁନାକୁ ସିବିଆଇ ଲକ୍ ଆଣ୍ଡ୍ ସିଲ୍ ଅଧୀନରେ ସୁରନା ଲକର୍ରେ ରଖାଯାଇଥିଲା। ତେବେ ସିବିଆଇ ମାମଲା ପାଇଁ ନିଯୁକ୍ତ ଚେନ୍ନାଇ ପ୍ରମୁଖ ସ୍ବତନ୍ତ୍ର ଅଦାଲତକୁ ୭୨ଟି ଲକର୍ ଚାବି ହସ୍ତାନ୍ତର କରାଯାଇଥିଲା ବୋଲି ସିବିଆଇ କହିଛି। ସିବିଆଇ ଦାବି କରିଛି ଯେ, ଚଢ଼ଉ ସମୟରେ ସୁନା ବିସ୍କୁଟ୍ଗୁଡ଼ିକୁ ଏକତ୍ର ଓଜନ କରାଯାଇଥିଲା। କିନ୍ତୁ ପରେ ସୁରନା ଏବଂ ଏସ୍ବିଆଇ ମଧ୍ୟରେ ଏକ ଋଣ ପରିଶୋଧ ମାମଲାର ସମାଧାନ ପାଇଁ ନିଯୁକ୍ତ ଲିକ୍ବିଡେଟରଙ୍କୁ ଏହି ସୁନା ହସ୍ତାନ୍ତର କରାଯିବା ପରେ ଏହାକୁ ଅଲଗା ଅଲଗା ଓଜନ କରାଯାଇଥିଲା। ଏହି ସମୟରେ କୌଣସି ପ୍ରକାର ହେରଫେର ହୋଇଛି ବୋଲି ସିବିଆଇ ଦାବି କରିଛି। କିନ୍ତୁ ସିବିଆଇର ଏହି ଦାବିକୁ ବିଚାରପତି ଗ୍ରହଣ କରିନଥିଲେ। ଉକ୍ତ ମାମଲାରେ ସେ ସିବି-ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେବା ସହ ୬ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ କହିଛନ୍ତି। କୋର୍ଟରେ ସିବିଆଇ ପକ୍ଷରୁ କୁହାଯାଇଥିଲା, ଯଦି ସ୍ଥାନୀୟ ପୁଲିସ ଦ୍ବାରା ଘଟଣାର ତଦନ୍ତ ହୁଏ ତେବେ ସିବିଆଇର ସମ୍ମାନ ହାନି ହେବ। ତେବେ ଅଦାଲତ ଏଭଳି ଯୁକ୍ତିକୁ ଗ୍ରହଣ କରିନାହାନ୍ତି।