୫୦୦ କୋଟି ଟଙ୍କାର ରତ୍ନଲିଙ୍ଗ ଉଦ୍ଧାର

ତ୍ରିଚି : ତାମିଲନାଡୁର ତାଞ୍ଜାଭୁର ଅଞ୍ଚଳର ଜଣେ ଲୋକ ପାଖରୁ ୫୦୦ କୋଟି ଟଙ୍କା ମୂଲ୍ୟର ବୋଲି କୁହାଯାଉଥିବା ଏକ ପାନ୍ନାରତ୍ନ-ନିର୍ମିତ ଶିବଲିଙ୍ଗ ଉଦ୍ଧାର କରିଛି। ରାଜ୍ୟ ପୁଲିସ ମୂର୍ତ୍ତି ଶାଖାର ମୁଖ୍ୟ ଏଡିଜିପି କେ ଜୟନ୍ତ ମୁରଲୀ କହିଛନ୍ତି ଯେ ତାଞ୍ଜାଭୁରର ଏକ ଘରେ ପ୍ରାଚୀନ ରତ୍ନଲିଙ୍ଗ ରଖାଯାଇଥିବା ନେଇ ସୂଚନା ପାଇବା ପରେ ସେମାନେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଅତିରିକ୍ତ ଏସ୍‌ପି ଆର୍ ରାଜାରାମ ଓ ପି ଅଶୋକ ନଟରାଜନଙ୍କ ନେତୃତ୍ବାଧୀନ ଦଳ ତାଞ୍ଜାଭୁରର ଅରୁଲାନନ୍ଦ ନଗର ଅନ୍ତର୍ଗତ ୭ମ କ୍ରସ୍ ଷ୍ଟ୍ରିଟ୍‌ରେ ଥିବା ଲଙ୍ଗଭାଲ ହୋମ୍ସରେ ଖୋଜାଖୋଜି କରିଥିଲେ। ସେମାନେ ୮୦ ବର୍ଷୀୟ ଏନ୍‌ଏ ସାମିୟାପ୍ପାନଙ୍କ ପୁଅ ଏନ୍‌ଏସ୍ ଅରୁଣଙ୍କୁ ପଚରାଉଚରା କରିଥିଲେ। ସେ କହିଥିଲେ ଯେ ତାଙ୍କ ବାପା ତାଞ୍ଜାଭୁରର ଏକ ବ୍ୟାଙ୍କ ଲକରରେ ଏକ ପାନ୍ନାଲିଙ୍ଗ ରଖିଛନ୍ତି। ସେ ପୁଲିସକୁ ଏହା ଉପରେ ଅନୁସନ୍ଧାନ କରିବା ପାଇଁ ସୁଯୋଗ ଦେଇଥିଲେ।

ଉକ୍ତ ପାନ୍ନାଲିଙ୍ଗର ଓଜନ ହେଉଛି ୫୩୦ ଗ୍ରାମ୍ ଏବଂ ଏହାର ଉଚ୍ଚତା ୮ ସେମି। ତାଙ୍କ ବାପା ଏହାକୁ କେଉଁଠୁ ପାଇଥିଲେ ସେ ବିଷୟରେ ତାଙ୍କର କିଛି ଜ୍ଞାନ ନାହିଁ ବୋଲି ଅରୁଣ କହିଥିଲେ। ଏଡିଜିପି କହିଛନ୍ତି ଯେ ଉକ୍ତ ରତ୍ନଲିଙ୍ଗର ମୂଲ୍ୟ ୫୦୦ କୋଟି ଟଙ୍କା ହେବ ବୋଲି ରତ୍ନବିତ୍‌ମାନେ ମୂଲ୍ୟାୟନ କରିଛନ୍ତି। ଏହା ୨୦୧୬ରେ ତିରୁକୁବାଲାଇ ଶିବ ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି କି ନୁହେଁ ବା ଏହା କେଉଁ ମନ୍ଦିରରୁ ଚୋରି ହୋଇଥିଲା ସେ ବିଷୟରେ ଅନୁସନ୍ଧାନ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର