କୋଭିଡ୍ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ମିଳିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା: ତାମିଲନାଡୁ ସରକାର

ଚେନ୍ନାଇ: ଦେଶରେ କରୋନା ମହାମାରୀ ବଳବତ୍ତର ରହିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ପୁଲିସ । ରାସ୍ତା ଘାଟଠାରୁ ମେଡିକାଲ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଡ୍ୟୁଟିରେ ଲାଗିଛନ୍ତି ପୁଲିସ କର୍ମଚାରୀ । ନା ଘରକୁ ଯିବାକୁ ମିଳୁଛି ସମୟ ନା ବୁଝି ହେଉଛି ନିଜ ପରିବାରର କଥା । ସବୁକଥାକୁ ପଛରେ ପକାଇ ଦେଶରେ କିଭଳି ଏହି ମହାମାରୀ ଅଧିକ ଲୋକଙ୍କୁ ଆକ୍ରାନ୍ତ କରି ନପାରିବ ସେ ନେଇ ସର୍ବଦା କାମରେ ଲାଗିଛନ୍ତି ପୁଲିସ କର୍ମଚାରୀ । ଏ ସବୁକୁ ନଜରରେ ରଖି ତାମିଲନାଡୁର ଷ୍ଟାଲିନ ସରକାର ସେମାନଙ୍କ ପାଇଁ ଏକ ସହାୟତା ରାଶି ଘୋଷଣା କରିଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଆଜି ରାଜ୍ୟରେ କୋଭିଡ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ଅବସରରେ ଷ୍ଟାଲିନ କହିଥିଲେ କି ନିଜ ଜୀବନକୁ ବାଜିରେ ଲଗାଇ ରାଜ୍ୟର ଲୋକମାନଙ୍କ ସେବା କରୁଥିବା ପୁଲିସ କର୍ମଚାରୀ ମାନଙ୍କ ପ୍ରତି ବି ରାଜ୍ୟ ସରକାରଙ୍କର କିଛି କର୍ତ୍ତବ୍ୟ ରହିଛି । ତେଣୁ ସେମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

 

କହିରଖୁ କି ଏହାପୂର୍ବରୁ ଷ୍ଟାଲିନ ସରକାର ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ବି ସହାୟତା ରାଶି ଘୋଷଣା କରିଥିଲେ । ରାଜ୍ୟରେ କୌଣସି ସାମ୍ବାଦିକ କରୋନା ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଏହାସହ ରାଜ୍ୟର  ସ୍ୱାସ୍ଥ୍ୟକର୍ମୀ ଓ ମନ୍ଦିରର ପୂଜାରୀ ମାନଙ୍କ ପାଇଁ ବି ଷ୍ଟାଲିନ୍ ସରକାର ସହାୟତା ରାଶି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର