ନୂଆଦିଲ୍ଲୀ : କୃଷି କ୍ଷେତ୍ର ଓ କୃଷକମାନଙ୍କ ପାଇଁ ସରକାର ବର୍ଷକୁ ୬.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। କେବଳ ପ୍ରତିଶ୍ରୁତି ଦେବା ପରିବର୍ତ୍ତେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ବାସ୍ତବରେ କାର୍ଯ୍ୟ କରୁଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ସପ୍ତଦଶ ସମବାୟ କଂଗ୍ରେସରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି।

Advertisment

ସମବାୟ କ୍ଷେତ୍ର ରାଜନୀତି ପରିବର୍ତ୍ତେ ସାମାଜିକ ଏବଂ ଜାତୀୟ ନୀତିର ବାହକ ହେବା ଆବଶ୍ୟକ। ସ୍ବଚ୍ଛତା ଏବଂ ଦୁର୍ନୀତି ମୁକ୍ତ ଶାସନର ଏକ ମଡେଲ ହେବା ସହିତ ଡିଜିଟାଲ ଉପକରଣର ବହୁଳ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଛନ୍ତି।

ଏଥିସହିତ ଦେଶରେ ତୈଳବୀଜ ଏବଂ ଡାଲି ଉତ୍ପାଦନ ନିମନ୍ତେ କାର୍ଯ୍ୟ କରିବା ଲାଗି ସେ ସମବାୟ ସଂସ୍ଥାଗୁଡ଼ିକୁ ଆହ୍ବାନ କରିଛନ୍ତି। ଖାଇବା ତେଲ କ୍ଷେତ୍ରରେ ଦେଶକୁ ସ୍ବାବଲମ୍ବୀ କରିବାକୁ ସେ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଗତ ୯ ବର୍ଷରେ ତାଙ୍କ ସରକାରର ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟ ଦେଶ ତୁଳନାରେ ଭାରତରେ ଚାଷୀମାନଙ୍କୁ କମ୍ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି। ସର୍ବନିମ୍ନ ସହାୟକ ମୂଲ୍ୟରେ ବିପୁଳ ମାତ୍ରାର ସାମଗ୍ରୀ କୃଷକଙ୍କ ଠାରୁ କିଣାଯାଇଛି ଏବଂ ପିଏମ୍ କିଷାନ ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ସ୍ଥାନାନ୍ତର କରାଯାଇଛି।

କୃଷି ଓ କୃଷକଙ୍କ ପାଇଁ ସରକାର ବର୍ଷକୁ ହାରାହାରି ୬.୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରୁଥିବା ମୋଦୀ କହିଛନ୍ତି। ସରକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯେଭଳି ବର୍ଷକୁ ପ୍ରାୟ ୫୦ ହଜାର ଟଙ୍କା ପାଇବ ତାହାକୁ ନିଶ୍ଚିତ କରିବା ଉପରେ ସରକାର କାର୍ଯ୍ୟ କରିଛନ୍ତି। ଅର୍ଥାତ୍ ବିଜେପି ସରକାର ଅମଳରେ ପ୍ରତ୍ୟେକ କୃଷକ ବିଭିନ୍ନ ଉପାୟରେ ଯେଭଳି ୫୦ ହଜାର ଟଙ୍କା ପାଇବ ତାହାକୁ ନିଶ୍ଚିତ କରାଯାଉଛି। ଗତ ୯ ବର୍ଷ ମଧ୍ୟରେ ସରକାର ସାର ସବସିଡି ବାବଦରେ ୧୦ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି। ଭାରତରେ ଚାଷୀ ‌ଗୋଟିଏ ବସ୍ତା ୟୁରିଆକୁ ପ୍ରାୟ ୨୭୦ ଟଙ୍କାରେ ପାଉଛି। କିନ୍ତୁ ବାଂଲାଦେଶରେ ଏହା ୭୨୦ ଟଙ୍କା, ପାକିସ୍ତାନରେ ୮୦୦ ଟଙ୍କା, ଚୀନରେ ୨୧୦୦ ଟଙ୍କା ଏବଂ ଆମେରିକାରେ ୩୦୦୦ ଟଙ୍କାରୁ ଅଧିକ ‌ଚାଷୀମାନଙ୍କୁ ଏଥିପାଇଁ ଦେବାକୁ ପଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ୪ ବର୍ଷ ମଧ୍ୟରେ ସରକାର ପିଏମ କିଷାନ ଯୋଜନାରେ ୨.୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରିଛନ୍ତି। ଏହି ଯୋଜନାରେ କୃଷକ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି, ସମବାୟ ଭାବନା ସମସ୍ତଙ୍କ ପ୍ରୟାସର ବାର୍ତ୍ତା ଦେଉଛି। ସମବାୟ କ୍ଷେତ୍ରର ଯୋଗଦାନ କାରଣରୁ ଭାରତ ଆଜି ବିଶ୍ୱର ଅଗ୍ରଣୀ ଦୁଗ୍ଧ ଉତ୍ପାଦନକାରୀ ଏବଂ ବିଶ୍ୱର ଶୀର୍ଷ ଚିନି ଉତ୍ପାଦନକାରୀ ଦେଶ ମଧ୍ୟରେ ପରିଗଣିତ ହେଉଛି। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସମବାୟ ସଂସ୍ଥା ପାଇଁ ପ୍ରଥମ ଥର ଲାଗି ଏକ ଅଲଗା ମନ୍ତ୍ରଣାଳୟ ଗଠନ କରାଯାଇଛି ଏବଂ ବଜେଟ୍ ଆବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତ କାଳ ସମୟରେ ଗାଁ ଓ ଚାଷୀଙ୍କ ବିକାଶରେ ସମବାୟ କ୍ଷେତ୍ରର ଭୂମିକା ବିସ୍ତାରିତ ହେବ। ସରକାର ଓ ସହକାର (ସରକାର ଓ ସମବାୟ) ମିଶି ବିକଶିତ ଭାରତର ସ୍ୱପ୍ନକୁ ଦୁଇଗୁଣ ମଜଭୁତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି ଏଲ୍‌ ବର୍ମା, ଏସିଆ ପ୍ରଶାନ୍ତ ମହାସାଗର ପାଇଁ ଅନ୍ତର୍ଜାତୀୟ ସମବାୟ ମେଣ୍ଟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରପାଲ ସିଂ ଯାଦବ ଏବଂ ଭାରତୀୟ ଜାତୀୟ ସମବାୟ ସଂଘର ଅଧ୍ୟକ୍ଷ ଦିଲିପ ସଂଘାନୀ ମଧ୍ୟ ଉପସ୍ଥିତ ଥିଲେ।