ନୂଆଦିଲ୍ଲୀ : କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ ଆରମ୍ଭ କରିଛି । ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି। ତେବେ କୋଇଲାକୁ ଗ୍ୟାସରେ ପରିଣତ କରି ଅଧିକରୁ ଅଧିକ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବାକୁ ମନ୍ତ୍ରଣାଳୟ ଏକ ବୃହତ୍ ପୂର୍ଣ୍ଣାଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଚାର କରୁଛି। ଏଥିପାଇଁ ୬୦୦୦ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ଆପାତତଃ ସ୍ଥିର ହୋଇଛି । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବୈଷୟିକ ଓ ଆର୍ଥିକ ଦିଗକୁ ବିଚାର କରି କୋଇଲା ମନ୍ତ୍ରଣାଳୟ ଦେଖୁଛି।
ଭାରତ ସ୍ୱଚ୍ଛ ତଥା ପ୍ରଦୂଷଣମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛି । ସେ ଦୃଷ୍ଟିରୁ କୋଇଲାକୁ ସିଧା ଜାଳେଣିଭାବେ ବ୍ୟବହାର ନ କରି ଏହାକୁ ଗ୍ୟାସ୍ରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି। ତେବେ ଏହି ପ୍ରକିୟା ଅତ୍ୟନ୍ତ ବ୍ୟୟବହୁଳ ଓ ଏହାର ପ୍ରଯୁକ୍ତି ଯଥେଷ୍ଟ ଖର୍ଚ୍ଚ ସାପେକ୍ଷ । ସେ ଦୃଷ୍ଟିରୁ କୋଇଲାକୁ ଗ୍ୟାସରେ ପରିଣତ କରାଗଲେ କେତେ ଲାଭ, କେତେ କ୍ଷତି ହେବ ସେକଥା ମନ୍ତ୍ରଣାଳୟ ବିଚାର କରି ଦେଖୁଛି।
ଜିଏସ୍ଟି କ୍ଷତିପୂରଣ ଓ ସେସ୍ ଭରଣା କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି
ଭାରତରେ କୋଇଲା ଗ୍ୟାସିଫିକେସନ ଟେକ୍ନୋଲୋଜିର ପ୍ରବର୍ତ୍ତନ ଫଳରେ କୋଇଲା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ । ଏହା ଦ୍ୱାରା ଆମଦାନି ହେଉଥିବା ଗ୍ୟାସ ଉପରୁ ନିର୍ଭରଶୀଳତା କମିବ। ସେହିଭଳି ଦେଶର ମିଥାନଲ୍, ଆମୋନିଆ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନି ମଧ୍ୟ ହ୍ରାସ ପାଇବ। ଏବେ ଭାରତ ତାହାର ଆବଶ୍ୟକତାର ୫୦ ଶତାଂଶ ପ୍ରାକୃତିକ ଗ୍ୟାସ, ୯୦% ମିଥାନଲ ଓ ପ୍ରାୟ ୧୫% ୟୁରିଆ ବିଦେଶରୁ କିଣୁଛି । ତେଣୁ କୋଇଲାରୁ ଗ୍ୟାସ ଉତ୍ପାଦିତ ହେଲେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିବ। ଏହା ଦ୍ୱାରା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ।
ସୁତରାଂ କୋଇଲା ମନ୍ତ୍ରଣାଳୟ କୋଇଲାକୁ ଗ୍ୟାସରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ଉପରେ କାମ କରୁଛି। ସେଥିପାଇଁ ପୂର୍ଣ୍ଣାଙ୍ଗ ନୀତି ପ୍ରସ୍ତୁତ କରାଯାଉଛି । ଏଥିରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ପ୍ରୟାସ ଚାଲିଛି ଏବଂ ଏଥି ପାଇଁ ମୋଟ ୬୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ଆପାତତଃ ଚୂଡାନ୍ତ ହୋଇଛି। ଏହି ଯୋଜନାରେ ପ୍ରଥମେ ଲିଗ୍ନାଇଟ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ବିଚାର କରାଯାଉଛି । ଲିଗ୍ନାଇଟ କୋଇଲା ଦେଖିବାକୁ ଧୂସର, ନରମ ଏବଂ ଦହନଶୀଳ। ସରକାର ଏହି କାମକୁ ଉଭୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବେସରକାରୀ ଶିଳ୍ପ ସଂସ୍ଥାକୁ ଦେବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ ଟେଣ୍ଡର ମାଧ୍ୟମରେ ଶ୍ରେଷ୍ଠ ବିଡର୍ଙ୍କୁ ବଛାଯିବ । ଆବଶ୍ୟକ ସ୍ଥଳେ ଟେଣ୍ଡର ପାଇଥିବା ଉଦ୍ୟୋଗ ବା ସଂସ୍ଥାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇବେ।
ଆହୁରି ମଧ୍ୟ ଏହି ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବ୍ୟବହୃତ କୋଇଲା ଓ ଉତ୍ପାଦିତ ଗ୍ୟାସ ଉପରେ ଜିଏସ୍ଟି ରିହାତି ଦେବେ । ତା’ଛଡା ସମ୍ପୃକ୍ତ କମ୍ପାନି ସେସ୍ ବାବଦରେ ସରକାରଙ୍କୁ ଯେଉଁ ଟିକସ ଦେଇଥିବେ ତାହାକୁ ଫେରସ୍ତ ଦିଆଯିବ। ଏସବୁ ଟିକସ ଜନିତ ରିହାତି ସୁବିଧା ବ୍ୟବସାୟିକ ଉତ୍ପାଦନ ଆରମ୍ଭର ୧୦ ବର୍ଷ ଯାଏ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।
କୋଇଲା ମନ୍ତ୍ରଣାଳୟ ମଧ୍ୟ କୋଲ୍ ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ମାଟି ଉପରୁ ମିଳୁଥିବା କୋଇଲା ଖଣି ଅଞ୍ଚଳରେ ଗ୍ୟାସିଫିକେସନ କାମ ସହଯୋଗ ଭିତ୍ତିରେ ଆରମ୍ଭ କରିବାକୁ ଭେଲ୍, ସିଆର୍ଇଏଲ, ଗେଲ୍, ଆଇଓସିଏଲ ଆଦିଙ୍କ ମଧ୍ୟରେ ୨୦୨୨ରେ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ସେଥି ମଧ୍ୟରୁ ଇସିଏଲ, ଏମ୍ସିଏଲ ଓ ଡବ୍ଲ୍ୟୁସିଏଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ସର୍ଭେ ଆଦି କାମ ଆରମ୍ଭ ହୋଇଛି । ଫିଜିବିଲିଟି ରିପୋର୍ଟ ଆସିବା ପରେ ଗ୍ୟାସିଫିକେସନ ପ୍ରକଳ୍ପ କାମ ଆରମ୍ଭ ହେବ ।