ମହଙ୍ଗା ପଡ଼ିଲା ପ୍ରିୟଙ୍କା ଗାନ୍ଧିଙ୍କୁ ସ୍କୁଟରରେ ବସାଇବା : କଂଗ୍ରେସ କର୍ମୀଙ୍କ ନାଁରେ କଟିଲା ୬,୧୦୦ ଟଙ୍କାର ଚାଲାଣ

ଲକ୍ଷ୍ନୌ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ନିଜ ସ୍କୁଟରରେ ବସାଇବା ମହଙ୍ଗା ପଡ଼ିଛି କଂଗ୍ରେସ କର୍ମୀ ଧୀରଜ ଗୁରଜରଙ୍କୁ । ହେଲମେଟ୍‌ ପିନ୍ଧିନଥିବାରୁ ଓ ସଡ଼କ ନିରାପତ୍ତା ଆଇନର ଉଲ୍ଲଙ୍ଘନ କରିଥିବାରୁ ୬,୧୦୦ ଟଙ୍କାର ଚାଲାଣ କାଟିଛି ଲକ୍ଷ୍ନୌର ଟ୍ରାଫିକ ପୁଲିସ ।

ନାଗରିକତା ଆଇନକୁ ବିରୋଧକରି ଗିରଫ ହୋଇଥିବା ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଏସଆର ଦାରାପୁରୀଙ୍କ ପରିବାରବର୍ଗଙ୍କୁ ଦେଖା କରିବାକୁ ପ୍ରିୟଙ୍କା ଗତ ଶନିବାରଦିନ ଲକ୍ଷ୍ନୌ ଯାଇଥିଲେ । ତେବେ ପୁଲିସ ସେଠାରେ ତାଙ୍କୁ ଅଟକାଇଥିଲା । ଏହା ପରେ ସେ କଂଗ୍ରେସ କର୍ମୀ ତଥା ଜାହାଜପୁର (ରାଜସ୍ଥାନ)ର ପୂର୍ବତନ ବିଧାୟକ ଧୀରଜ ଗୁରଜରଙ୍କ ସ୍କୁଟର ପଛରେ ବସି ଉକ୍ତ ସ୍ଥାନକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ସ୍କୁଟରରେ ଯିବାବେଳେ ଉଭୟ ହେଲମେଟ୍‌ ପିନ୍ଧିନଥିଲେ । ଏହା ପରେ ଲକ୍ଷ୍ନୌ ଟ୍ରାଫିକ ପୁଲିସ ପକ୍ଷରୁ ଧୀରଜଙ୍କ ନିକଟକୁ ୬,୧୦୦ ଟଙ୍କାର ଚାଲାଣ କାଟି ପଠାଇଛି । ଚାଲାଣ କଟିଥିବା ଏହି ୬,୧୦୦ ଟଙ୍କା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୨,୫୦୦ ଟଙ୍କା, ହେଲମେଟ ପିନ୍ଧିନଥିବାରୁ ୫୦୦ ଟଙ୍କା, ଟ୍ରାଫିକ ନିୟମ ମାନିନଥିବାରୁ ୩୦୦ ଟଙ୍କା, ତ୍ରୁଟିପୂର୍ଣ୍ଣ ଭାବେ ନମ୍ବର ପ୍ଲେଟ ଲେଖିଥିବାରୁ ୩୦୦ ଟଙ୍କା ଓ ଦ୍ରୁତ ଗାଡ଼ିଚାଳନା ପାଇଁ ୨,୫୦୦ ଟଙ୍କା ଅନ୍ତର୍ଭୁକ୍ତ ।

ଅନ୍ୟପକ୍ଷରେ ଲକ୍ଷ୍ନୌରେ ପୁଲିସ ତାଙ୍କୁ ଅଟକାଇବାବେଳେ ବଳପ୍ରୟୋଗ କରିଥିଲା ବୋଲି ପ୍ରିୟଙ୍କା ଗତକାଲି ଅଭିଯୋଗ କରିଥିଲେ । ତେବେ ଏହାକୁ ଉତ୍ତରପ୍ରଦେଶ ପୁଲିସ ଅସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର