ବିଏସ୍ଏନ୍ଏଲ୍ ପାଇଁ ୬୮,୭୫୧ କୋଟି, ବିଏସ୍ଏନ୍ଏଲ୍-ଏମ୍ଟିଏନ୍ଏଲ୍ର ମିଶ୍ରଣ ହେବ
୪ଜି ସ୍ପେକ୍ଟ୍ରମ ଦିଆଯିବ /କର୍ମଚାରୀଙ୍କ ପାଇଁ ଭିଆର୍ଏସ୍
ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ ମଧ୍ୟରେ ମିଶ୍ରଣ ହେବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲିଥିବା ଏହି ଦୁଇ କଂପାନି ବଜାରରେ ତିଷ୍ଠି ରହିବାକୁ ସଂଘର୍ଷ କରୁଥିଲେ। ଏଭଳିକି କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମଧ୍ୟ ଦେଇପାରୁନଥିଲେ।
ଉଭୟ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ ଲାଗି କେନ୍ଦ୍ର ସରକାର ୬୮ ହଜାର ୭୫୧ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜ୍ ପ୍ରସ୍ତୁତ କରିଛନ୍ତି। କଂପାନିଗୁଡ଼ିକର ଜରୁରିକାଳୀନ ଆବଶ୍ୟକତା ଲାଗି ୧୫ ହଜାର କୋଟି ଟଙ୍କା, ୪ଜି ସ୍ପେକ୍ଟ୍ରମ ଲାଗି ୨୦ ହଜାର ୧୪୦ କୋଟି ଟଙ୍କା, ଭିଆରଏସ୍ ପାଇଁ ଦରକାର ହେଉଥିବା ପାଣ୍ଠିର ୫୦% ଅର୍ଥ ବାବଦକୁ ୨୯ ହଜାର ୯୩୭ କୋଟି ଟଙ୍କା ଏବଂ ଜିଏସ୍ଟି ପାଇଁ ୩୬୭୪ କୋଟି ଟଙ୍କା ପ୍ୟାକେଜ୍ରେ ପ୍ରଦାନ କରାଯାଇଛି।
ଦୁଇ କଂପାନିକୁ ସୁଦୃଢ଼ କରିବା ଲାଗି ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଟେଲିକମ୍ ଜଗତରେ ଦେଖାଦେଇଥିବା ପ୍ରତିଦ୍ବନ୍ଦ୍ବିତା ସହ ତାଳ ଦେଇ ଆଗକୁ ବଢ଼ିବା ଲାଗି ସେମାନଙ୍କୁ ୪ଜି ସ୍ପେକ୍ଟ୍ରମ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ପେକ୍ଟ୍ରମ୍ କିଣିବା ଲାଗି ଦରକାର ହେଉଥିବା ୨୦ ହଜାର ୧୪୦ କୋଟି ଟଙ୍କା ଓ ଜିଏସ୍ଟି ବାବଦ ୩୬୭୪ କୋଟି ଟଙ୍କା କେନ୍ଦ୍ର ସରକାର ଦେବେ। ସ୍ପେକ୍ଟ୍ରମ୍ ମିଳିବା ପରେ ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ୪-ଜି ସେବା ଆରମ୍ଭ କରିପାରିବେ। ଫଳରେ ଏହି ଦୁଇ କଂପାନିର ବିପୁଳ ସଂଖ୍ୟାରେ ଗ୍ରାହକ ସ୍ପୀଡ୍ ଡାଟା ସେବା ପାଇପାରିବେ। ଉଭୟ କଂପାନିର ଋଣ ବୋଝ ହାଲୁକା କରିବା ଲାଗି ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ସ୍ବତନ୍ତ୍ର ବଣ୍ଡ୍ ଜାରି କରି ୧୫ ହଜାର କୋଟି ଟଙ୍କା ଯୋଗାଡ଼ କରାଯିବ। ସେହି ଟଙ୍କାକୁ କଂପାନିର ଋଣ ପରିଶୋଧ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରାଯିବ। ବଣ୍ଡ୍କୁ ଅଧିକ ଆକର୍ଷଣୀୟ କରିବା ଲାଗି କେନ୍ଦ୍ର ସରକାର ତାହା ଉପରେ ଗ୍ୟାରେଣ୍ଟି ଦେବେ। କଂପାନି ଉପରେ ୪୦ ହଜାର କୋଟି ଟଙ୍କାର ଋଣ ବକେୟା ରହିଛି।
କର୍ମଚାରୀଙ୍କ ଲାଗି ‘ସ୍ବେଚ୍ଛାକୃତ ଅବସର ଯୋଜନା’(ଭିଆର୍ଏସ୍) ପ୍ରସ୍ତୁତ କରାଯାଇଛି। ଉଭୟ କଂପାନି ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସ ଅତିକ୍ରାନ୍ତ କରିସାରିଥିବା କର୍ମଚାରୀମାନଙ୍କୁ ଭିଆର୍ଏସ୍ ପ୍ରସ୍ତାବ ଦେବେ। ଏହି ଯୋଜନା ଲାଗି ୧୭ ହଜାର ୧୬୯ କୋଟି ଟଙ୍କା ଦରକାର ହେବ ଯାହା କେନ୍ଦ୍ର ସରକାର ପ୍ରଦାନ କରିବେ। ଏହା ବ୍ୟତୀତ ପେନ୍ସନ୍, ଗ୍ରାଚୁଇଟି ଓ କମ୍ପ୍ୟୁଟେସନ୍ ବ୍ୟୟଭାରକୁ ମଧ୍ୟ କେନ୍ଦ୍ର ସରକାର ବହନ କରିବେ। ବିଏସ୍ଏନ୍ଏଲ୍ ପାଇଁ ୧ ଲକ୍ଷ ୬୮ ହଜାର ଏବଂ ଏମ୍ଟିଏନ୍ଏଲ୍ରେ ୨୨ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି।
ଉଭୟ କଂପାନି ନିଜ ପାଖରେ ଥିବା ସମ୍ପତ୍ତିକୁ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବେ। ସେହି ଟଙ୍କାକୁ ଋଣ ବୋଝ ହାଲୁକା କରିବା, ବଣ୍ଡ୍ ବାବଦ ପେମେଣ୍ଟ୍ କରିବା, ନେଟ୍ୱର୍କରେ ଉନ୍ନତି, ସମ୍ପ୍ରସାରଣ ଏବଂ କଂପାନି ପରିଚାଳନା ବାବଦରେ ଖର୍ଚ୍ଚ କରାଯିବ। ସମ୍ପତ୍ତି ବିକ୍ରିରୁ ତିନି ବର୍ଷରେ ୩୭ ହଜାର ୫୦୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ର ମିଶ୍ରଣ ବିଷୟରେ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଦୁଇ କଂପାନି ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଦେଶ ପାଇଁ ଏହି କଂପାନିର ଆବଶ୍ୟକତା ରହିଛି। ସେନାର ସମସ୍ତ ନେଟ୍ୱର୍କ ବିଏସ୍ଏନ୍ଏଲ୍ ପରିଚାଳନା କରୁଛି।