ବେଙ୍ଗାଲୁରୁ : କର୍ଣ୍ଣାଟକର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା ଚଢ଼ଉ କରି ୮ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ବିଧାୟକଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ ମଦଲ ନଗଦ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ବିଧାୟକ ଓ ତାଙ୍କ ପୁଅଙ୍କ କାରନାମା ରାଜ୍ୟ ବିଜେପି ପାଇଁ ଘୋର ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବିଧାୟକ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଘୋଷଣା କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ବିରୋଧୀ କଂଗ୍ରେସ ଓ ଜେଡିଏସ୍ ଶାସକ ଦଳର ଦୁର୍ନୀତିକୁ ବଡ଼ ପ୍ରସଙ୍ଗ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।
ରାଜ୍ୟ ଲୋକାୟୁକ୍ତ ପୁଲିସ ବିଜେପି ବିଧାୟକ ମଦଲଙ୍କ ବାସଭବନରେ ଚଢ଼ଉ କରି ୬ କୋଟି ନଗଦ ଜବତ କରିଥିବା ବେଳେ ତାଙ୍କ କାର୍ଯ୍ୟାଳୟରୁ ୧.୭୫ କୋଟି ଟଙ୍କା ଜବତ କରିଛି। ଅନ୍ୟପକ୍ଷରେ ବିଧାୟକଙ୍କ ପୁଅ ପ୍ରଶାନ୍ତ ମଦଲ ଗତକାଲି ୪୦ ଲକ୍ଷ ଟଙ୍କା ନଗଦ ଲାଞ୍ଚ ନେଉଥବା ସମୟରେ ଧରାପଡ଼ିଛନ୍ତି। ଦୁର୍ନୀତି ଅଭିଯୁକ୍ତ ବିଧାୟକଙ୍କୁ ପୁଲିସ ଠାବ କରିପାରିନଥିବା ବେଳେ ସେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି। ଦେବନାଗରେ ଜିଲ୍ଲାର ଚନ୍ନାଗିରି ଆସନର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପା କର୍ଣ୍ଣାଟକ ‘ସୋପ୍ସ ଆଣ୍ଡ୍ ଡିଟର୍ଜେଣ୍ଟ୍ସ ଲିମିଟେଡ଼’ର ଅଧ୍ୟକ୍ଷ ଥିଲେ। ଏହି ସଂସ୍ଥା ‘ମହୀଶୂର ସାଣ୍ଡାଲ’ ସାବୁନ ପ୍ରସ୍ତୁତି ପାଇଁ ବିଖ୍ୟାତ। ଆଜି ସକାଳେ ଏହି ସଂସ୍ଥାରୁ ବିଧାୟକ ଇସ୍ଥଫା ଦେଇଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ ବେଙ୍ଗାଲୁରୁ ଜଳ ଯୋଗାଣ ଓ ସ୍ବେରେଜ ବୋର୍ଡରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ । ଗତକାଲି ଲୋକାୟୁକ୍ତ ପୁଲିସ କେତେକ ଜରୁରୀ ସୂଚନା ଆଧାରରେ ଚଢ଼ଉ କରି ପ୍ରଶାନ୍ତଙ୍କୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଧରିଥିଲା ଏବଂ ତାଙ୍କ କାର୍ଯ୍ୟାଳୟରୁ ମଧ୍ୟ କୋଟିଏରୁ ଅଧିକ ଟଙ୍କା ଜବତ କରିଥିଲା। ବିଧାୟକ ସିଧାସଳଖ ଦୁର୍ନୀତିରେ ସଂପୃକ୍ତ ରହିବା ସହ ଲାଞ୍ଚ ନେବା କାର୍ଯ୍ୟରେ ପୁଅକୁ ନିୟୋଜିତ କରିଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଛି।
ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ଏବଂ ଶାସକ ଦଳ ନେତାମାନେ ସବୁ ଯୋଜନାରୁ ୪୦ ପ୍ରତିଶତ କମିସନ ନେଉଛନ୍ତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁଠି ବି ଦୁର୍ନୀତିର ପ୍ରମାଣ ମିଳିବ ସେ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।