ନୂଆଦିଲ୍ଲୀ : ୨୦୨୧-୨୨ରେ ବିଜୁ ଜନତା ଦଳ (ବିଜେଡି)କୁ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ୨,୯୧୦,୦୦୦, ୦୦୦ ଟଙ୍କା ମିଳିଛି। ଭାରତୀୟ ନିର୍ବାଚନ ଆୟୋଗରେ ବିଜେଡି ଦ୍ବାରା ଅଗଷ୍ଟ ୨୬,୨୦୨୨ରେ ଦାଖଲ କରାଯାଇଥିବା ଅଡିଟ ରିପୋର୍ଟରୁ ଏହା ଜଣାପଡିଛି। ଏହି ରିପୋର୍ଟକୁ ଗତ ବୁଧବାର ନିର୍ବାଚନ କମିସନ ପକ୍ଷରୁ ସାର୍ବଜନୀନ କରାଯାଇଛି। ୨୦୨୦-୨୧ରେ ଇଲୋକ୍ଟୋରାଲ ବଣ୍ଡ୍ ଜରିଆରେ ବିଜେଡିକୁ ୬୭୦,୦୨୩,୦୦୦ ଟଙ୍କା ମିଳିଥିଲା। ସେହି ତୁଳନାରେ ୨୦୨୧-୨୨ରେ ୩୩୪ ପ୍ରତିଶତ ଅଧିକ ଅର୍ଥ ମିଳିଛି।
ଅନ୍ୟପକ୍ଷେ ବିଜେଡି ଦ୍ବାରା ଦାଖଲ କରାଯାଇଥିବା ଅଡିଟ୍ ରିପୋର୍ଟରେ ୨୦୨୧-୨୨ରେ ମୋଟ ଆୟର ପରିମାଣ ୩,୦୭୨,୮୮୬,୫୫୧ ଟଙ୍କା ବୋଲି ଦର୍ଶାଯାଇଛି ଯାହା ୨୦୨୦-୨୧ ତୁଳନାରେ ୩୧୮ ପ୍ରତିଶତ ଅଧିକ। ୨୦୨୦-୨୧ରେ ବିଜେଡିର ଆୟ ୭୩୩,୪୭୮,୧୩୯ ଟଙ୍କା ଥିଲା। ବିଜେଡିର ଅଡିଟ ରିପୋର୍ଟ ଅନୁସାରେ ୨୦୨୧-୨୨ରେ ୨୮୬,୩୦୩,୧୮୫ ଟଙ୍କା ଖର୍ଚ୍ଚ ହୋଇଥିଲା। ଅନ୍ୟପକ୍ଷେ, ୨୦୨୦-୨୧ର ବିଜେଡି ଦ୍ବାରା ୭୦,୧୫୧,୬୨୯ ଟଙ୍କା ଖର୍ଚ୍ଚ କରାଯାଇଥିଲା। ବିଜେଡି ପାଖରେ ୨୦୨୧-୨୨ରେ ସର୍ବମୋଟ ୪,୫୪୫,୮୬୦,୧୮୮ ଟଙ୍କାର ସମ୍ପତ୍ତି (କରେଣ୍ଟ ଆସେଟ୍ସ) ରହିଛି ବୋଲି ଅଡିଟ ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ବିଜେଡିର କରେଣ୍ଟ ଆସେଟ୍ସରେ ୧୫୫ ପ୍ରତିଶତ ବୃଦ୍ଧି ହୋଇଛି।
୨୦୨୦-୨୧ରେ ବିଜେଡିର କରେଣ୍ଟ ଆସେଟ୍ସ ୧,୭୮୧,୪୫୨,୩୨୦ ଟଙ୍କା ରହିଥିଲା ବିଜେଡିର ୨୦୨୧-୨୨ ଆୟବ୍ୟୟ ରିପୋର୍ଟରେ ପିପିଲି ବିଧାନସଭା ଉପନିର୍ବାଚନ, ଜିଲ୍ଲା ପରିଷଦ ଏବଂ ପୌର ନିର୍ବାଚନର ଖର୍ଚ୍ଚ ବିବରଣୀ ପ୍ରଦାନ କରାଯାଇଛି। ଅଡିଟ ରିପୋର୍ଟରେ ପିପିଲି ବିଧାନସଭା ଉପନିର୍ବାଚନରେ ମୋଟ ୮,୯୧୨,୩୮୩ ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଳେଖ କରାଯାଇଛି। ସେହିଭଳି ଜିଲ୍ଲା ପରିଷଦ ନିର୍ବାଚନରେ ୧୩୨,୬୫୩,୧୪୬ ଟଙ୍କା ଖର୍ଚ୍ଚ ହୋଇଥିବା ଅଡିଟ ରିପୋର୍ଟରେ କୁହାଯାଇଛି। ପୌର ନିର୍ବାଚନରେ ଖର୍ଚ୍ଚର ଯେଉଁ ବିବରଣୀ ପ୍ରଦାନ କରାଯାଇଛି ସେଥିରେ ୮୮,୮୫୮,୯୮୪ ଟଙ୍କା ଖର୍ଚ୍ଚ ହୋଇଥିବାର ଉଲ୍ଲେଖ ଅଛି।