ରାଜ୍ୟସଭା ନିର୍ବାଚନ: ମତଦାନର ଭିଡିଓଗ୍ରାଫି କରାଯିବ; ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଚାରିଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର କହିଛନ୍ତି ଯେ ମତଦାନ ପ୍ରକ୍ରିୟାର ତଦାରଖ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଏବଂ ରାଜ୍ୟସଭା ନିର୍ବାଚନରେ ମତଦାନର ଭିଡିଓଗ୍ରାଫି କରାଯିବ।

ନିକଟରେ ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡର ସମସ୍ତ ୪୧ ଜଣ ପ୍ରାର୍ଥୀଙ୍କୁ ଗତ ଶୁକ୍ରବାର ଦିନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବଚିତ ଘୋଷିତ କରାଯାଇଥିଲା।

ତେବେ ନିର୍ବାଚନ ହେବାକୁ ଥିବା ଆସନ ଠାରୁ  ପ୍ରାର୍ଥୀଙ୍କ ସଂଖ୍ୟା ଅତିକ୍ରମ କରିଥିବାରୁ ଶୁକ୍ରବାର (ଜୁନ୍‌ ୧୦ ତାରିଖ) ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୧୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସବୁ ରାଜ୍ୟରେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରସୋରରେ ଘୋଡ଼ା ବେପାର ଆରମ୍ଭ ହୋଇ ଯାଇଥିବା ଅଭିଯୋଗ ହୋଇଥିଲା।

ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ଆମେ ଚାରିଟି ସ୍ଥାନ (ରାଜ୍ୟ)ରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛୁ ଏବଂ ସମଗ୍ର ମତଦାନ ପ୍ରକ୍ରିୟାର ଭିଡିଓଗ୍ରାଫ୍‌ ହେବ।

ସମ୍ବନ୍ଧିତ ଖବର