୫ ଜଳବିବାଦ ଟ୍ରିବ୍ୟୁନାଲ ପାଇଁ ୧୬୩୭ ଲକ୍ଷ

ନୂଆଦିଲ୍ଲୀ : ଆନ୍ତଃରାଜ୍ୟ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ୫ଟି ଟ୍ରିବ୍ୟୁନାଲ ପାଇଁ ଗତ ଆର୍ଥିକବର୍ଷରେ ସମୁଦାୟ ୧୬୩୭.୧୭ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ବଂଶଧାରା ଟ୍ରିବ୍ୟୁନାଲକୁ ଆବଣ୍ଟନ କରାଯାଇଛି ସର୍ବାଧିକ ୫୧୧.୧୧ ଲକ୍ଷ ଟଙ୍କା। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି।

୨୦୧୦ ମସିହା ଫେବ୍ରୁଆରି ମାସରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଂଶଧାରା ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଆସନ୍ତା ଡିସେମ୍ବର ୧୦ ତାରିଖରେ ଏହାର କାର୍ଯ୍ୟକାଳ ଶେଷ ହେବ। ରିପୋର୍ଟ ଅନୁସାରେ, ୨୦୧୯-୨୦ ଆର୍ଥିକବର୍ଷରେ ୫୧୧.୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଗତବର୍ଷ ଡିସେମ୍ବର ସୁଦ୍ଧା ୨୯୭.୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଏହି ଟ୍ରିବ୍ୟୁନାଲ ପାଇଁ ୨୦୧୯-୨୦ରେ ସମୁଦାୟ ୪.୨୦ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ଗତବର୍ଷ ଡିସେମ୍ବର ସୁଦ୍ଧା ୦.୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ଅନ୍ୟପକ୍ଷରେ, କ୍ରିଷ୍ଣା ଜଳବିବାଦ ଟ୍ରିବ୍ୟୁନାଲ ପାଇଁ ୩୮୭ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିବାବେଳେ ଗତବର୍ଷ ସୁଦ୍ଧା ସେଥିରୁ ୨୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ରାଭି ଓ ବିୟସ ଟ୍ରିବ୍ୟନାଲ ପାଇଁ ଆବଣ୍ଟିତ ୨୯୯.୮୫ ଲକ୍ଷ ଟଙ୍କାରୁ ଡିସେମ୍ବର ୨୦୧୯ ସୁଦ୍ଧା ୨୦୯.୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର