ପ୍ରଚଳନରେ ୩୧.୩୩ ଲକ୍ଷ କୋଟି ନଗଦ, ୧୩୦ କୋଟିର ଇ-ରୁପି କାରବାର

ନୂଆଦିଲ୍ଲୀ : ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ୩୧.୩୩ ଲକ୍ଷ କୋଟି ଟଙ୍କାର ନଗଦ ରାଶି ପ୍ରଚଳନରେ ଥିଲା। ନୋଟ୍‌ ଓ କଏନ ଆକାରରେ ସେହି ନଗଦ ରହିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର କାର୍ଯ୍ୟଭାର ଗ୍ରହଣ କରିବା ବେଳେ ପ୍ରଚଳନରେ ଥିବା ନଗଦ ପରିମାଣ ମାତ୍ର ୧୩ ଲକ୍ଷ କୋଟି ଟଙ୍କା ଥିଲା। ସେହି ସମୟରେ ଜିଡିପିକୁ ନଗଦର ଅନୁପାତ ୧୧.୬ ପ୍ରତିଶତ ଥିବା ବେଳେ ୨୦୨୨ ମାର୍ଚ୍ଚ ୨୫ ସୁଦ୍ଧା ସେହି ହାର ୧୩.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା।

୨୦୧୬ ନଭେମ୍ବର ୮‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ୨୦୧୭ ମାର୍ଚ୍ଚ ସୁଦ୍ଧା ପ୍ରଚଳନରେ ଥିବା ନଗଦ ପରିମାଣ ୧୩.୩୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ୨୦୧୬ ମାର୍ଚ୍ଚରେ ଦେଶରେ ୧୬.୬୩ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା। ବିମୁଦ୍ରୀକରଣ ପରବର୍ତ୍ତୀ ସମୟରେ ଲଗାତାର ଭାବେ ନଗଦ ପରିମାଣ ବଢ଼ିଛି। ୨୦୧୮ରେ ତାହା ୧୮.୨୯ ଲକ୍ଷ କୋଟି ଟଙ୍କା, ୨୦୧୯ରେ ୨୧.୩୬ ଲକ୍ଷ କୋଟି ଟଙ୍କା ଓ ୨୦୨୦ରେ ୨୪.୪୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୧ରେ ୨୮.୫୩ ଲକ୍ଷ କୋଟି ଟଙ୍କା ଏବଂ ୨୦୨୨ରେ ୩୧.୩୩ ଲକ୍ଷ କୋଟି ଟଙ୍କାକୁ ନଗଦ ପରିମାଣ ବୃଦ୍ଧି ପାଇଛି।

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ପରୀକ୍ଷଣ ପର୍ଯ୍ୟାୟରେ ଥିବା କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରା ଇ-ରୁପିକୁ ନେଇ ୧୩୦ କୋଟି ଟଙ୍କାର କାରବାର ହୋଇଛି। ୨୦୨୨ ନଭେମ୍ବର ୧ରୁ ଏହାର ପରୀକ୍ଷଣ ଆରମ୍ଭ କରାଯାଇଥିଲା। ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ୟୁନିୟନ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କ ଓ ଏଚ୍‌ଏସ୍‌ବିସିକୁ ଇ-ରୁପି ବ୍ୟବହାର କରିବାର ଅନୁମତି ଦିଆଯାଇଛି। ଉଭୟ ଖୁଚୁରା ଓ ପାଇକାରୀ ବଜାରରେ ଇ-ରୁପିର ପରୀକ୍ଷଣ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର