ନିଜେ ନିଜର ନିଷ୍ପତ୍ତି ନେବା ସ୍ବାଧୀନତା ଦେଇ ମହିଳାଙ୍କୁ ସଶକ୍ତ କର: ମୋହନ ଭାଗବତ

ନାଗପୁର: ମହିଳାମାନଙ୍କୁ ସମକକ୍ଷ ଦୃଷ୍ଟିରେ ବିବେଚନା କରାଯିବା ସହିତ ନିଜେ ନିଜର ନିଷ୍ପତ୍ତି ଗ୍ରହଣ କରିବା ପାଇଁ ସେମାନଙ୍କୁ ସ୍ବାଧୀନତା ମିଳିବା ଉଚିତ ବୋଲି ଆଜି ‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’ର ବାର୍ଷିକ ଦଶହରା ରାଲିରେ ଉଦ୍‌ବୋଧନ ଦେଇ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି।

ନାଗପୁରର ପାରମ୍ପରିକ ବିଜୟାଦଶମୀ ଉଦ୍‌ବ‌ୋଧନରେ ଭାଗବତ କହିଛନ୍ତି, ସଂଘ କାର୍ଯ୍ୟକ୍ରମକୁ ବିଦୂଷୀ ଓ କୁଶଳୀ ନାରୀମାନଙ୍କୁ ସ୍ବାଗତ କରିବାର ପୁରାତନ ପରାମ୍ପରା ରହିଛି। ଯୋଗକୁ, ଆଜିର ମୁଖ୍ୟ ଅତିଥି ‌ସନ୍ତୋଷ ଯାଦବ ଶକ୍ତିର ପ୍ରତିନିଧିତ୍ବ କରୁଛନ୍ତି। ସେ ଦୁଇଥର ‘ଗୌରୀଶଙ୍କର’ ଚୂଡ଼ା ଆରୋହଣ କରିଛନ୍ତି।

ସୂଚନାଯୋଗ୍ୟ, ଆଜିର ବାର୍ଷିକ ଦଶହରା ଉତ୍ସବକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’ ପ୍ରସିଦ୍ଧ ପର୍ବତାରୋହିଣୀ ସନ୍ତୋଷ ଯାଦବଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ କରିଛି। ଏହି କାର୍ଯ୍ୟକ୍ରମରେ ଜଣେ ମହିଳାଙ୍କୁ ମୁଖ୍ୟ ଅତିଥି କରାଯିବାରେ ସଂଘ ଇତିହାସରେ ପ୍ରଥମ ଘଟଣା।

ଏହାଛଡ଼ା, ହିନ୍ଦୁ ରାଜ୍ୟ ତତ୍ତ୍ବ ବିଷୟରେ କହିବା ବେଳେ ସେ କହିଛନ୍ତି ଯେ, ହିନ୍ଦୁ ରାଷ୍ଟ୍ର ତତ୍ତ୍ବ ବିଷୟରେ ଚାରି ଆଡ଼େ ଆଲୋଚନା ଚାଲିଛି। ଏହି ତତ୍ତ୍ବ ପ୍ରତି ଏକମତ ଥିବା ଅନେକ ‘ହିନ୍ଦୁ’ ଶବ୍ଦକୁ ବିରୋଧ କରି ତା’ ପରିବର୍ତ୍ତେ ଅନ୍ୟ ଶବ୍ଦ ବ୍ୟବହାର କରିବାକୁ କହୁଛନ୍ତି। ସେଥିରେ ଆମର କୌଣସି ସମସ୍ୟା ନାହିଁ। ତତ୍ତ୍ବକୁ ସ୍ପଷ୍ଟ କରିବା ଲାଗି ଆମେ ଆମ ପାଇଁ ‘ହିନ୍ଦୁ’ ଶବ୍ଦ ଉପରେ ଗୁରୁତ୍ବ ଦେଉଛୁ।

Image Courtesy of NDTV

ଉଦ୍‌ବୋଧନରେ ଜନସଂଖ୍ୟ ନୀତି ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ଭାଗବତ କହିଛନ୍ତି, ଜନସଂଖ୍ୟା ସମ୍ବଳ ଆବଶ୍ୟକ କରେ। ସମ୍ବଳ ସୃଷ୍ଟି ନ କରି ଜନସଂଖ୍ୟ ବୃଦ୍ଧି ପାଇଲେ ତାହା ବୋଝ ହୁଏ। ଜନସଂଖ୍ୟାକୁ ସମ୍ପଦ ବୋଲି ବିଚାର କରିବାରେ ଆଉ ଗୋଟାଏ ମତ ବି ରହିଛି। ଉଭୟ କଥା ପ୍ରତି ଧ୍ୟାନ ଦେଇ ଆମେ ଜନସଂଖ୍ୟା ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ।

ଧର୍ମଭିତ୍ତିକ ଜନସଂଖ୍ୟା ଅସନ୍ତୁଳନତା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉପେକ୍ଷା କରିବା ଅନୁଚିତ। ଜନସଂଖ୍ୟା ଅସନ୍ତୁଳନ ଭୌଗୋଳିକ ସୀମା ପରିବର୍ତ୍ତନର କାରଣ ହୋଇଥାଏ। ଏହାଛଡ଼ା, ଜନ୍ମହାରରେ ପାର୍ଥକ୍ୟ, ବଳପୂର୍ବକ, ଭୁଲାଇ ଅଥବା ଲୋଭ ଦେଖାଇ ଧର୍ମାନ୍ତରୀକରଣ କରିବା ଏବଂ ଅନୁପ୍ରବେଶ ମଧ୍ୟ ଜନସଂଖ୍ୟା ଅସନ୍ତୁଳନତାର ଗୁରୁତ୍ବପୂର୍ଣ୍ଣ କାରଣ।

ସମ୍ବନ୍ଧିତ ଖବର