ନୂଆଦିଲ୍ଲୀ : ବିଜେପି ଓ ଆରଏସଏସ ମଧ୍ୟରେ ବିବାଦ ଥିବା ଗତ ବର୍ଷଠାରୁ ଦେଶରେ ଚର୍ଚ୍ଚା ଲାଗି ରହିଥିଲା । ଏବେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ସରସଂଘଚାଳକ ମୋହନ ଭାଗବତ । ସେ କହିଛନ୍ତି ଯେ ବିଜେପି ଓ ସଂଘ ମଧ୍ୟରେ କୌଣସି ବିବାଦ ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେପିର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆରଏସଏସ ନିଏ ନାହିଁ, ସେଗୁଡ଼ିକ ନିଜେ ବିଜେପି ନେଇଥାଏ ।
ସଂଘର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି ଯେ ବିଜେପିର ନିଷ୍ପତ୍ତି ବିଜେପିର ନେତୃବୃନ୍ଦ ହିଁ ନିଅନ୍ତି । ସଂଘ କେବଳ ଏକ ମାର୍ଗଦର୍ଶକଭାବେ କାମ କରେ । ସଂଘ ବିଜେପିକୁ ପରାମର୍ଶ ଓ ନିଜର ବିଚାର ଦେଇଥାଏ । କିନ୍ତୁ ବିଜେପିର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ ।
“ ମୁଁ ଗତ ୫୦ ବର୍ଷ ଧରି ସଂଘର ଶାଖା ଚଳାଉଛନ୍ତି । ଶାଖା ଚଳାଇବାରେ ମୋର ଦକ୍ଷତା ଅଛି, କିନ୍ତୁ ସରକାର ଚଳାଇବାରେ ତାଙ୍କର ଦକ୍ଷତା ରହିଛି । ଆମେ ସରକାରଙ୍କୁ ପରାମର୍ଶ ଦେଉ, କିନ୍ତୁ ସରକାର ନିଜ କାମ କରନ୍ତି । ଆମଭିତରେ ମତଭେଦ ରହିଥାଇପାରେ, କିନ୍ତୁ ମନଭେଦ ନାହିଁ : ମୋହନ ଭାଗବତ, ସରସଂଘଚାଳକ”
ବିଜେପି ଓ ସଂଘ ମଧ୍ୟରେ ବିବାଦ ଥିବା କଥା ଭିତ୍ତିହୀନ ବୋଲି କହି ସେ କହିଛନ୍ତି “ ମୁଁ ଗତ ୫୦ ବର୍ଷ ଧରି ସଂଘର ଶାଖା ଚଳାଉଛନ୍ତି । ଶାଖା ଚଳାଇବାରେ ମୋର ଦକ୍ଷତା ଅଛି, କିନ୍ତୁ ସରକାର ଚଳାଇବାରେ ତାଙ୍କର ଦକ୍ଷତା ରହିଛି । ଆମେ ସରକାରଙ୍କୁ ପରାମର୍ଶ ଦେଉ, କିନ୍ତୁ ସରକାର ନିଜ କାମ କରନ୍ତି । ଆମଭିତରେ ମତଭେଦ ରହିଥାଇପାରେ, କିନ୍ତୁ ମନଭେଦ ନାହିଁ ।”
ସେ କହିଛନ୍ତି ଯେ ସଂଘର କୌଣସି ସରକାର (କେନ୍ଦ୍ର ହେଉ ବା ରାଜ୍ୟ ସରକାର)ଙ୍କ ସହିତ ଭଲ ସଂପର୍କ ରହିଛି । ଅସଲ କଥା ହେଉଛି ଆମର ଯେଉଁ ବ୍ୟବସ୍ଥା ରହିଛି ତାହାକୁ ଇଂରେଜମାନେ ଆମକୁ ଶାସନ କରିବାକୁ ତିଆରି କରିଥିଲେ । ସେଥିରେ କେତେକ ପରିବର୍ତ୍ତନ ଆବଶ୍ୟକ ।