ନୂଆଦିଲ୍ଲୀ: ପଣ୍ଡିତଙ୍କ ଉପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ସୋମବାର ସଂଘ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ଭାଗବତଙ୍କ କଥାର ଭୁଲ ବ୍ୟାଖ୍ୟା କରାଯାଉଛି। ସେ ‘ପଣ୍ଡିତ’ ଶବ୍ଦକୁ ବ୍ରାହ୍ମଣ ଅର୍ଥରେ ନୁହେଁ, ବରଂ ଜ୍ଞାନୀ ଅର୍ଥରେ ବ୍ୟବହାର କରିଛନ୍ତି।
ରବିବାର ଭାଗବତ କହିଥିଲେ ଯେ ଭଗବାନ ସବୁ ମଣିଷକୁ ସମାନ କରି ଗଢ଼ିଛନ୍ତି କିନ୍ତୁ ପଣ୍ଡିତମାନେ ହିଁ ଜାତି ଓ ସମ୍ପ୍ରଦାୟର ଭେଦଭାବ ସୃଷ୍ଟି କରିଛନ୍ତି। ଏହି ଜନସଭାକୁ ସମ୍ବୋଧିତ କରି ଭାଗବତ କହିଥିଲେ- ସତ୍ୟ ହେଉଛି ଈଶ୍ବର। ନାମ, କ୍ଷମତା ଓ ସମ୍ମାନ ଯାହାର ଯାହା ଥାଉନା କାର୍ହିକି, ସବୁ ମଣିଷ ସମାନ ଏବଂ କୌଣସି ପାର୍ଥକ୍ୟ ନାହିଁ। କେତେକ ପଣ୍ଡିତ ଶାସ୍ତ୍ର ପଢ଼ି ଯାହା କୁହନ୍ତି ତାହା ମିଛ। ଜାତିଗତ ବଡ଼ସାନକୁ ନେଇ ଆମକୁ ବିଭ୍ରାନ୍ତ କରାଯାଉଛି ଏବଂ ଏହି ଭ୍ରାନ୍ତିକୁ ଦୂର କରିବାକୁ ହେବ ବୋଲି ଭାଗବତ କହିଥିଲେ।
ଭାଗବତଙ୍କର ଏହି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଭାଗବତ ଜଣେ ବ୍ରାହ୍ମଣ-ବିରୋଧୀ ବୋଲି ମତ ପ୍ରକାଶ ପାଇଥିଲା। ଏହାପରେ ଆର୍ଏସ୍ଏସ୍ ନେତା ସୁନୀଲ ଅମ୍ବେକର ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଭାଗବତ ସନ୍ଥ ରବିଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ତାଙ୍କ ବକ୍ତବ୍ୟରେ ‘ପଣ୍ଡିତ’ ବୋଲି ଯେଉଁ ଶବ୍ଦ ବ୍ୟବହାର କରିଥିଲେ ତାହା ସେ ବ୍ରାହ୍ମଣ ଅର୍ଥରେ ନୁହେଁ ବରଂ ବିଦ୍ବାନ ଓ ଜ୍ଞାନୀ ଅର୍ଥରେ ବ୍ୟବହାର କରିଥିଲେ। କେତେକ ପଣ୍ଡିତ ବା ବିଦ୍ବାନ ଜାତି ଭିତ୍ତିରେ ଭେଦଭାବ ସୃଷ୍ଟି କରନ୍ତି ବୋଲି ସେ କହିଥିଲେ।