ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଲଦାଖ ଏବଂ ଲେହ ଗସ୍ତରେ ଅଛନ୍ତି। ଜମ୍ମୁ କାଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କ ପ୍ରଥମ ଲଦାଖ ଗସ୍ତ। ଲଦାଖ ଗସ୍ତରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ କହିଛନ୍ତି, ବିଜେପିର ବୈଚାରିକ ଅଭିଭାବକ ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ସବୁକିଛି ପରିଚାଳନା କରୁଛି। ଆରଏସଏସ ଦେଶର ପ୍ରତି ଅନୁଷ୍ଠାନରେ ଏହାର ଲୋକଙ୍କୁ ରଖିଛି ଏବଂ ସବୁକିଛି ଆରଏସଏସ ଦ୍ବାରା ପରିଚାଳିତ ହେଉଛି। ରାହୁଲ କହିଛନ୍ତି, ଏପରିକି କେନ୍ଦ୍ର ସରକାରରେ କୌଣସି ମନ୍ତ୍ରୀଙ୍କୁ ବି ପ୍ରଶ୍ନ କର ସେମାନେ ମଧ୍ୟ ଆପଣଙ୍କୁ କହିବେ ଯେ ସେମାନେ ବାସ୍ତବରେ ମନ୍ତ୍ରାଳୟ ପରିଚାଳନା କରୁନାହାନ୍ତି।
ଆରଏସଏସର ଲୋକମାନେ ମନ୍ତ୍ରାଳୟରେ ଅଛନ୍ତି ଏବଂ ସେମାନେ ହିଁ ମନ୍ତ୍ରାଳୟ ପରିଚାଳନା କରୁଛନ୍ତି ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ରାହୁଲ ଆଜି ଲଦାଖର ପାଙ୍ଗଙ୍ଗ ଲେକ୍ ଅଞ୍ଚଳରେ ବାଇକ୍ ରାଇଡ୍ କରିଛନ୍ତି। ଅଗଷ୍ଟ ୨୦ ତାରିଖରେ ସେ ଲଦାଖରେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳନ କରିବେ। ରାହୁଲଙ୍କୁ ଆଜି କେଟିଏମ୍ ୩୯୦ ଆଡଭେନଚର ବାଇକ୍ ଚଳାଉଥିବା ଦେଖିବାକୁ ମିଳିଛି। ରାହୁଲ ହେଲମେଟ୍, ଗ୍ଲୋବ୍ସ, ବୁଟ୍ ଏବଂ ଜାକେଟ୍ ପିନ୍ଧି ଲଦାଖର ପାର୍ବତ୍ୟାଞ୍ଚଳରେ ବାଇକ୍ ଚଳାଇବାକୁ ଉପଭୋଗ କରିଛନ୍ତି।