କଶ୍ମୀରରେ ସଂଘ ନେତାଙ୍କୁ ହତ୍ୟା:କର୍ଫ୍ୟୁ ଜାରି

ଶ୍ରୀନଗର: ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର କିସତୱାର ସହରରେ ଜଣେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନେତା ଏବଂ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ଏହି ହତ୍ୟାକାଣ୍ଡ ଘଟିବା ପରେ ସହରରେ କର୍ଫ୍ୟୁ ଜାରି କରାଯିବା ସହ ଆତଙ୍କୀଙ୍କୁ ଧରିବାକୁ ସୁରକ୍ଷାକର୍ମୀ ଅଭିଯାନ ଆରମ୍ଭ କରିଛନ୍ତି।
ଜିଲ୍ଲା ହସ୍ପିଟାଲରେ ପଶି ଆତଙ୍କବାଦୀମାନେ ସଂଘ ନେତା ଚନ୍ଦ୍ରକାନ୍ତ ଶର୍ମାଙ୍କ ସୁରକ୍ଷା ଅଧିକାରୀଙ୍କଠାରୁ ବନ୍ଧୁକ ଛଡାଇନେଇ ଉଭୟଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ହସ୍ପିଟାଲ‌େର ଶର୍ମାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପ୍ରକାଶ। ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଇବାରୁ ସହରରେ କର୍ଫ୍ୟୁ ଜାରି କରାଯାଇଛି। ଅପ୍ରୀତକର ପରିସ୍ଥିତିକୁ ଏଡ଼ାଇବାକୁ କିସତୱାର ଜିଲ୍ଲା ସମେତ ଦୋଡା ଏବଂ ଭଦରୱା ଜିଲ୍ଲାରେ ଇଣ୍ଟର୍‌ନେଟ ସେବାକୁ ବନ୍ଦ କରିଦିଆଯାଇଛି। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ନିୟୋଜିତ କରାଯାଇଛି। ଥିବା ସୂଚନା ଦେଇଛନ୍ତି କିସତ୍ୱର ଜିଲ୍ଲା ଡେପୁଟି କମିଶନର ଅଙ୍ଗ୍‌ରେଜ ସିଂହ ରାଣା।
ସୂଚନା ଥାଉକି କିଛି ମାସ ତଳେ କିସତ୍ୱର ସହରରେ ହିଁ ଆତଙ୍କବାଦୀମାନେ ଦୁଇ ଜଣ ସଂଘ ନେତା ଅନିଲ ପରିହାର ଏବଂ ତାଙ୍କ ଭାଇ ଅଜିତ ପରିହାରଙ୍କୁ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର