ବର୍ଷୀୟାନ୍‌ ଆର୍‌ଏସ୍‌ଏସ୍‌ ନେତା ପି ପରମେଶ୍ୱରନ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ ପ୍ରଚାରକ ଏବଂ ଭାରତୀୟ ଜନସଂଘର ବରିଷ୍ଠ ନେତା ପି. ପରମେଶ୍ୱରନଙ୍କର ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। କେରଳର ପଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ଓଟ୍ଟାପ୍ପଲମଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ପରମେଶ୍ୱରନ୍‌ଙ୍କୁ ୨୦୧୮ରେ ପଦ୍ମବିଭୂଷଣ ଏବଂ ୨୦୦୪ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ପି ପରମେଶ୍ୱରନ୍‌ ଥିଲେ ଜଣେ ଲେଖକ, କବି, ଗବେଷକ ଏବଂ ଆର୍‌ଏସ୍‌ଏସ୍‌ ଆଦର୍ଶବାଦୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ‘ଗୁରୁ’ ବୋଲି ସମ୍ବୋଧନ କରନ୍ତି। ୧୯୮୨ରେ ସେ ‘ଭାରତୀୟ ବିଚାର କେନ୍ଦ୍ରମ୍‌’ ପ୍ରତିଷ୍ଠା କରିଥିଲେ। ୧୯୬୭ରୁ ୧୯୭୧ ଯାଏଁ ଭାରତୀୟ ଜନସଂଘର ସଚିବ ରହିବା ପରେ ସେ ୧୯୭୧ରୁ ୧୯୭୭ଯାଏଁ ଏହାର ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ୧୯୭୭ ରୁ ୧୯୮୨ ଯାଏଁ ନୂଆଦିଲ୍ଲୀସ୍ଥିତ ଦୀନଦୟାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ସେ ନିର୍ଦେଶକ ଥିଲେ। ୧୯୨୭ ମସିହାରେ ଅଲପ୍ପୁଝା ଜିଲ୍ଲାର ମୁହମ୍ମାଠାରେ ଜନ୍ମିତ ପରମେଶ୍ୱରନ୍‌ ଛାତ୍ରାବସ୍ଥାରେ ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର