ଆରଏସଏସ ମୁଖପତ୍ର ଅର୍ଗାନାଇଜରରେ ଚୀନକୁ ଚେତାବନୀ, ତିଆନାମେନ ଗଣହତ୍ୟାକୁ ସ୍ମରଣ କରାଇଲା

ନାଗପୁର : ସୀମା ବିବାଦକୁ ନେଇ ଲଦାଖ ଓ ସିକ୍କିମରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ଦୁଇ ଦେଶ ପରସ୍ପର ଉପରେ ମନସ୍ତାତ୍ତ୍ୱିକ ଚାପ ପକାଇଚାଲିଛନ୍ତି । ଏହି ଚାପ ପକାଉଛନ୍ତି ଦୁଇ ଦେଶରେ ଶାସନରେ ଥିବା ଦଳ ଦ୍ବାରା ନିୟନ୍ତ୍ରିତ ମୁଖପତ୍ର ।

ଚୀନର କମୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଗତ କିଛି ଦିନ ଧରି ଭାରତ ବିରୋଧୀ ଲେଖା ଲେଖି ଭାରତ ଉପରେ ଚାପ ସ୍‌ଷ୍ଟି କରିଚାଲିଛି । ଯେବେବି ଦୁଇଦେଶ ମଧ୍ୟରେ ସୀମା ବିବାଦ ଦେଖାଦିଏ ସେତେବେଳେ ଗ୍ଲୋବାଲ ଟାଇମ୍ସ ଭାରତକୁ ଭୟଭୀତ କରିବା ପାଇଁ ବିଭିନ୍ନ ପ୍ରକାରର ଲେଖା ଲେଖିଥାଏ । ତେବେ ଭାରତ ପକ୍ଷରୁ କେବେ ବି ଏହା ଉପରେ ପ୍ରତିକ୍ରିୟା ବା ଜବାବ ଦିଆଯାଏ ନାହିଁ । ଏଥର ବି ଭାରତ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ଜବାବ ଦିଆଯାଇନାହିଁ । କିନ୍ତୁ କେନ୍ଦ୍ରରେ ଶାସନାଧୀନ ବିଜେପିର ମୂଳ ସଂଗଠନ ଆରଏସଏସର ମୁଖପତ୍ର ଅର୍ଗାନାଇଜରରେ ଚୀନ ବିରୋଧୀ ଲେଖା ପ୍ରକାଶିତ ହୋଇଛି ।

ଚୀନର ତିଆନାମେନ ଛକ ଗଣହତ୍ୟା ସଂପର୍କିତ ଏକ ଫଟୋ ନିଜର ପ୍ରଚ୍ଛଦରେ ସ୍ଥାନ ଦେଇ ଚୀନର ଏକଛତ୍ରବାଦୀ ଓ ଅମାନବୀୟ ଦମନମୂଳକ ନୀତିକୁ ତୀବ୍ର ସମାଲୋଚନା କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ୧୯୮୯ ତିଆନାମେନ ଘଟଣାବେଳେ ଯେପରି ସମଗ୍ର ବିଶ୍ବରେ ଚୀନ ବିରୋଧୀ ହାୱା ସୃଷ୍ଟି ହୋଇଥିଲା ଏବେ ତାଠାରୁ ଅଧିକ ଚୀନ ବିରୋଧୀ ହାୱା ଚାଲିଛି । ତିଆନାମେନ ସହ ହଂକଂ,ତିବତ ଓ ଉହାନରେ ଚୀନ ସରକାରଙ୍କ ପକ୍ଷରୁ ହୋଇଥିବା ଦମନ ତୁଳନୀୟ ବୋଲି । ଏବେ ସମଗ୍ର ଚୀନ ଭିତରେ ମଧ୍ୟ ଅସନ୍ତୋଷର ବହ୍ନି କୁହୁଳୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

 

ସମ୍ବନ୍ଧିତ ଖବର