ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ସରକାର ଶପଥ ନେବା ପରେ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ତେବେ ଅତ୍ୟନ୍ତ ଯୋଜନାବଦ୍ଧଭାବେ ସମସ୍ତଙ୍କ ସହମତିରେ ଓ ସମସ୍ତଙ୍କ ସୁବିଧା ପାଇଁ ସମାନ ନାଗରିକ ସଂହିତା ଲାଗୁ କରିବାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ପରାମର୍ଶ ଦେଇଛି ।

Advertisment

ସାରା ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ଆରଏସଏସର ପ୍ରମୁଖ ଲକ୍ଷ୍ୟ ହୋଇଥିବାବେଳେ ଦେଶର ସବୁ ସଂପ୍ରଦାୟଙ୍କ ସହମତି ନେଇ ଏହାକୁ ଲାଗୁ କରାଯାଉ ବୋଲି ଆରଏସଏସ କେନ୍ଦ୍ରୀୟ କମିଟିର ଜଣେ ସଦସ୍ୟ କହିଛନ୍ତି । ସେ କହିଛନ୍ତି ଯେ ଦେଶର ବିଭିନ୍ନ ସଂପ୍ରଦାୟର ଅନେକ ଭିନ୍ନ ଭିନ୍ନ ପରମ୍ପରା ରହିଛି । ସମସ୍ତଙ୍କୁ ସମ୍ମାନ ଦିଆଯିବା ଉଚିତ । ତେବେ ନ୍ୟାୟସମ୍ମତ ହୋଇନଥିବା ପରମ୍ପରାଗୁଡ଼ିକୁ ବାଦ ଦିଆଯିବା ଉଚିତ ।

ସମାନ ନାଗରିକ ସଂହିତା ଲାଗୁ ପ୍ରକ୍ରିୟାକୁ ଧୀମା କରିବା ଆରଏସଏସ ଚାହୁଁନଥିଲେ ବି ଏହା ସମସ୍ତଙ୍କ ସହମତିରେ ହେବା ଉଚିତ । ବିଶେଷକରି ଆଦିବାସୀମାନଙ୍କର ଅନେକ ପରମ୍ପରା ରହିଛି । ସେଗୁଡ଼ିକୁ ସମ୍ମାନ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଉତ୍ତରାଖଣ୍ଡରେ ସମାନ ନାଗରିକ ସହିଂତା ଲାଗୁ କରାଯିବ ବୋଲି  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘୋଷଣା କରିଛନ୍ତି । ଏହାକୁ ଲାଗୁ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେପି ଏନେଇ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା ।