ଲେହ: ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବିଜେପି ଦୁର୍ବଳ କରୁଛି । ଏସବୁ ସଂସ୍ଥାଗୁଡ଼ିକରେ ଆରଏସଏସର ଲୋକମାନଙ୍କୁ ରଖାଯାଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ଲଦାଖ ଗସ୍ତରେ ଥିବାବେଳେ ରାହୁଲ ଏହା କହିଛନ୍ତି ।
ରାହୁଲ ଦୁଇ ଦିନିଆ ଲଦାଖ ଗସ୍ତରେ ଶୁକ୍ରବାର ଲଦାଖରେ ଅଛନ୍ତି। ଏହି ସମୟରେ ସେ ଲେହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୁବକମାନଙ୍କ ସହ କଥାବାର୍ତ୍ତା କରିଥିଲେ ଓ ଦର୍ଶକଙ୍କ ସହ ବସି ଏକ ଫୁଟବଲ ମ୍ୟାଚ୍ ଦେଖିଥିଲେ। ଖେଳାଳିମାନେ ସେମାନଙ୍କ ସହ ହାତ ମିଳାଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କ ସହ ସେଲ୍ଫି ମଧ୍ୟ ନେଇଥିଲେ।
ଏହା ପୂର୍ବରୁ ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରି କଂଗ୍ରେସ ନେତା କହିଥିଲେ ଯେ ୧୯୪୭ରେ ଭାରତ ସ୍ୱାଧୀନ ହୋଇଥିଲା ଏବଂ ଏକ ସ୍ବାଧୀନ ଭାରତର ମୂଳ ଭିତ୍ତି ହେଉଛି ସମ୍ବିଧାନ । ସମ୍ବିଧାନର ଲକ୍ଷ୍ୟକୁ ସାକାର କରିବାକୁ ବିଭିନ୍ନ ଅନୁଷ୍ଠାନ ସ୍ଥାପନ କରାଯାଇଥାଏ । ସଂସଦ, ଯୋଜନା ଆୟୋଗ, ସେନା ଆଦି ଏହାର ଅନୁଷ୍ଠାନ । କିନ୍ତୁ ଏବେ ଆରଏସଏସ ଏସବୁ ଅନୁଷ୍ଠାନରେ ନିଜର ଲୋକ ରଖୁଛି ।
ଉଦାହରଣସ୍ବରୂପ, ଆପଣ ଯେତେବେଳେ କୌଣସି ମନ୍ତ୍ରୀଙ୍କ ପାଖକୁ ଯିବେ, ସେତେବେଳେ ସେମାନେ କହିବେ ଯେ ସେଠାରେ ଆରଏସଏସରୁ ଆସିଥିବା ଜଣେ ଓଏସଡି ଅଛନ୍ତି, ସେ ସବୁ ନିଷ୍ପତ୍ତି ନିଅନ୍ତି ।
ଏହା ପୂର୍ବରୁ ରାହୁଲ ଗାନ୍ଧି ଗୁରୁବାର ଲଦାଖରେ ପହଞ୍ଚିବା ପରେ ଲେହ ବିମାନବନ୍ଦରରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।