ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପିର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ମଧ୍ୟରେ ବିବାଦ ବୃଦ୍ଧି ପାଇଛି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏହି ସଂଗଠନକୁ ନିଷିଦ୍ଧ କରାଯିବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି। ସାଧାରଣତଃ ଏଭଳି ବିବୃତି ଉପରେ ପ୍ରତିକ୍ରିୟା ପ୍ରକାଶ କରୁ ନ ଥିବା ଆର୍ଏସ୍ଏସ୍ ଜବାବ ଦେଇ କହିଛି ଯେ ସଂଗଠନକୁ ଦେଶ ଗ୍ରହଣ କରିସାରିଛି। ଆର୍ଏସ୍ଏସ୍ର ଦତ୍ତାତ୍ରେୟ ହୋସାବାଲେ କହିଛନ୍ତି, ଦେଶର ସୁରକ୍ଷା, ବିକାଶ, ସଂସ୍କୃତି ଓ ଏକତା ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ହେଉଛି ଆର୍ଏସ୍ଏସ୍। ଜଣେ ରାଜନୈତିକ ନେତା ଏହାକୁ ନିଷିଦ୍ଧ କରିବାକୁ କହୁଛନ୍ତି। କିନ୍ତୁ ଏହାର କାରଣ ସେ କହିବେ ନାହିଁ। ସେ (ଖଡ଼ଗେ) ପୂର୍ବରୁ ମଧ୍ୟ ଏହା କରିବାକୁ ଚେଷ୍ଟା କରିଥିଲେ। ପରିଣାମ କ’ଣ ହେଲା? ଦେଶ ସଂଘକୁ ଗ୍ରହଣ କରିଛି ଏବଂ ସରକାର ମଧ୍ୟ ନିଷେଧାଦେଶ ବେଆଇନ ବୋଲି ମାନିନେଇଛନ୍ତି। ମୁଁ ଭାବୁଛି ଏପରି ଜଣେ ନେତା ବିଭିନ୍ନ ପ୍ରସଙ୍ଗକୁ ସମ୍ବେଦନଶୀଳ ଢଙ୍ଗରେ ନେବା ଉଚିତ ବୋଲି ହୋସାବାଲେ କହିଛନ୍ତି।
କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଗତକାଲି ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଆର୍ଏସ୍ଏସ୍ ଓ ବିଜେପିକୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମତକୁ ପ୍ରକୃତରେ ସମ୍ମାନ କରନ୍ତି, ତେବେ ସେ ଆର୍ଏସ୍ଏସ୍କୁ ନିଷିଦ୍ଧ କରିବା ଉଚିତ। ଦେଶର ସମସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିଜେପି ଓ ଆର୍ଏସ୍ଏସ୍ କାରଣରୁ ହେଉଛି ବୋଲି ଖଡ଼ଗେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କ ପୁଅ ତଥା କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ମଧ୍ୟ ପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଆର୍ଏସ୍ଏସ୍ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/30/khadge-2025-07-30-02-05-38.jpg)