ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କମୂଳକ ପଦ‌କ୍ଷେପ ଗ୍ରହଣ କରାଯାଉଛି।  ଏହି କ୍ରମରେ ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ଭେଟିବାକୁ ଥିବା ମନ୍ତ୍ରୀ, ନେତା ଓ ଅଧିକାରୀମାନେ ନିଜର ଆର୍‌ଟି ପିସିଆର୍‌ ଟେଷ୍ଟ୍‌ କରାଇବା ବାଧ୍ୟତାମୂଳକ।  ଏପରିକି ପ୍ରଧାନମନ୍ତ୍ରୀଙ୍କ ରୢାଲି ସ୍ଥଳରେ ବି ଉପସ୍ଥିତ ରହୁଥିବା ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତା ନିଜର ଆର୍‌ଟି ପିସିଆର୍‌ ଟେଷ୍ଟ୍‌ କରାଇବା ଆବଶ୍ୟକ ବୋଲି ଜଣାପଡ଼ିଛି।  
ଉଲ୍ଲେଖଯୋଗ୍ୟ, ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟ ବିଜେପି କାର୍ଯ୍ୟକର୍ତ୍ତା‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।  ମୋଦୀଙ୍କୁ ଭେଟିଥିବା ସମସ୍ତ ନେତାଙ୍କର ଆରଟିପିସିଆର ଟେଷ୍ଟ୍‌  କରାଯାଇଥିବା ଜଣାପଡ଼ିଛି।  ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ‌ବେଳେ  ୭୦୦ରୁ ଅଧିକ ସକ୍ରିୟ ମାମଲା ରହିଥିବାରୁ ସରକାର ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି।   ଦିଲ୍ଲୀ ବିଧାନସଭା‌ ନିର୍ବାଚନରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ସମସ୍ତ ନେତାଙ୍କୁ ଆଜି ପ୍ରଥମ ଥର ପାଇଁ ଭେଟିଛନ୍ତି।  କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରର ୧୧ ବର୍ଷ ଏବଂ ଦିଲ୍ଲୀ‌‌ରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାରର ୧୦୦ ଦିନ ଅବସରରେ ଆଜି ଏହି ସାକ୍ଷାତ କାର୍ଯ୍ୟକ୍ରମ ଥିଲା।  ବିଜେପି ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିଛି।