ଗୃହୀତ ହେଲା ଆର୍‌ଟିଆଇ ସଂଶୋଧନ ବିଲ୍‌, ପ୍ରବଳ ବିରୋଧ ସତ୍ତ୍ବେ ବାଚନିକ ଭୋଟ୍‌ରେ ବିଲ୍‌ ପାରିତ

ବିଜେଡି, ଟିଆର୍‌ଏସ୍‌, ୱାଇଏସ୍‌ଆର୍‌ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ଆଜି ମୁସଲିମ ମହିଳା ବିବାହ ସୁରକ୍ଷା ବିଲ୍‌ (ତିନି ତଲାକ୍‌) ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସୁଚନା ଅଧିକାର (ସଂଶୋଧନ) ବିଲ୍‌-୨୦୧୯ ଗୃହୀତ ହୋଇଛି। ବିରୋଧୀ ଦଳମାନେ ରାଜ୍ୟସଭାରେ ସୂଚନା ଅଧିକାର ସଂଶୋଧନ ବିଲ୍‌କୁ ବିରୋଧ କରି ପ୍ରବଳ ହଟ୍ଟଗୋଳ କରିଥିଲେ। ଆର୍‌ଟିଆଇ ସଂଶୋଧନ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀ ଦଳମାନେ ଜୋର୍‌ଦାର ଦାବି କରିଥିଲେ। ତେବେ ଏହି ପ୍ରସ୍ତାବ ଖାରଜ ହୋଇଯାଇଥିଲା। ବିଲ୍‌ ଉପରେ ଆଲୋଚନା ପରେ ବାଚନିକ ଭୋଟ୍‌ କରାଯାଇଥିଲା ଏବଂ ବିଲ୍‌ ସପକ୍ଷରେ ୧୧୭ ଭୋଟ୍‌ ମିଳିଥିବା ବେଳେ ବିଲ୍‌ ବିରୋଧରେ ୭୫ ଭୋଟ୍‌ ମିଳିଥିଲା। କଂଗ୍ରେସ ନେତା ଗୁଲାମନବୀ ଆଜାଦ ଏହି ବିଲ୍‌କୁ ତୀବ୍ର ବିରୋଧ କରି କହିଥିଲେ ସରକାର ଗଣତନ୍ତ୍ରକୁ ସମ୍ମାନ ଦେଇ କାର୍ଯ୍ୟ କରୁନାହାନ୍ତି। ସଂଶୋଧିତ ବିଲ୍‌ରେ ସମସ୍ତ ସୂଚନା କମିସନରଙ୍କୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣରେ ରଖିବା ବ୍ୟବସ୍ଥା କରିଥିବାରୁ ଏହା ସଂଘୀୟ ବ୍ୟବସ୍ଥା ପ୍ରତି ବଡ଼ ଝଟ୍‌କା ହେବ ବୋଲି ସେ କହିଥିଲେ। ସୂଚନା ଅଧିକାର ଆଇନର ପରିସମାପ୍ତି ଘଟାଇବା ପାଇଁ ଏହି ଆଇନକୁ ସରକାର ଲଗାତାର ଦୁର୍ବଳ କରି ଚାଲିଛନ୍ତି ବୋଲି ବୋଲି ବିରୋଧୀ ଦଳ ନେତାମାନେ କହିଥିଲେ। ତେବେ ବିଲ୍‌କୁ ବିଜେଡି, ପିଡିପି, ଟିଆର୍‌ଏସ୍‌ ଏବଂ ୱାଇଏସ୍‌ଆର୍‌ କଂଗ୍ରେସର ସମର୍ଥନ ମିଳିଥିଲା। ଅନ୍ୟପକ୍ଷରେ କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ, ବିଏସ୍‌ପି ଏବଂ ଏସ୍‌ପି ବିଲ୍‌କୁ ବିରୋଧ କରିଥିଲେ। ବିଲ୍‌ ପାଇଁ ବିରୋଧୀ ଦଳଙ୍କୁ ମନାଇବା ଦାୟିତ୍ବ ପିୟୂଷ ଗୋୟଲ ଏବଂ ପ୍ରହ୍ଲାଦ ଯୋଶୀ ନେଇଥିଲେ। ସଂଶୋଧିତ ବିଲ୍‌ରେ ରାଜ୍ୟ ସରକାରଙ୍କ ଅଧିକାର ଉପରେ କୌଣସି ହସ୍ତକ୍ଷେପ କରାଯାଇନାହିଁ ବୋଲି ସରକାର ଦଲିଲ୍‌ ରଖିଛନ୍ତି। ତେବେ ଦରମା ଓ କାର୍ଯ୍ୟକାଳରେ ସମାନତା ରକ୍ଷା କରିବା ପାଇଁ ହିଁ ଏଥିରେ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି।

ଆର୍‌ଟିଆଇ ଅଧିନିୟମର ଧାରା ୧୩ରେ ସରକାର ପରିବର୍ତ୍ତନ ଆଣିଛନ୍ତି। ମୁଖ୍ୟ ସୂଚନା କମିସନର ଏବଂ ସୂଚନା କମିସନରମାନଙ୍କ ବେତନ, ଭତ୍ତା, କାର୍ଯ୍ୟକାଳ ଏବଂ ଅନ୍ୟ ସୁବିଧା ସୁଯୋଗ କେନ୍ଦ୍ର ସରକାର ହିଁ ନିର୍ଦ୍ଧାରଣ କରିବେ। ସୂଚନା କମିସନରଙ୍କ ନିର୍ଦ୍ଧାରିତ କାର୍ଯ୍ୟକାଳରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି ଏବଂ ଏହା ସ୍ବତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ। ଏବେ ମୁଖ୍ୟ ସୂଚନା କମିସନର ଏବଂ ସୂଚନା କମିସନରଙ୍କ କାର୍ଯ୍ୟକାଳ ୫ ବର୍ଷ ପାଇଁ ଧାର୍ଯ୍ୟ ହୋଇଛି। ସୂଚନା ଅଧିକାର ଆଇନର ଦୁରୁପଯୋଗ କରି ଅନେକ ବ୍ୟକ୍ତି ଛଦ୍ମ ରାଜନୀତି କରୁଥିବାରୁ ଏହାକୁ ନେଇ ଶାସକ ଦଳର କେତେକ ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଏଥିରେ ନିୟନ୍ତ୍ରଣ ଆସିବା ଜରୁରୀ ବୋଲି କହିଥିଲେ।

ଆଜମ ଖାନ୍‌ଙ୍କ ଅଶାଳୀନ ଟିପ୍ପଣୀକୁ ନେଇ ସଂସଦରେ ଝଡ଼
ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍‌ ଆଜି ସଂସଦରେ ଏକ ଅଶାଳୀନ ଟିପ୍ପଣୀ ରଖି କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଲୋକସଭାରେ ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କ ଅନୁପସ୍ଥିତିରେ ବିଜେପି ସାଂସଦ ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରିଥି‌ଲେ। ଗୃହରେ ତିନି ତଲାକ୍‌ ବିଲ୍‌ ଉପରେ ଆଲୋଚନା ହେବା ସମୟରେ ଆଜମ ଖାନ୍‌ ବିଜେପି ସାଂସଦ ରମା ଦେବୀଙ୍କୁ କହିଥିଲେ, ‘ତୁମ ଆଖିକୁ ଅନାଇଲେ ତୁମ ସହ କଥା ହେବା ଭଳି ଅନୁଭବ ହେଉଛି’। ‌ତେବେ ରମା ଦେବୀ ଆଜମ ଖାନ୍‌ଙ୍କର ଏହି ଟିପ୍ପଣୀକୁ ବିରୋଧ କରିଥିଲେ । ପ‌‌ରେ ଆଜମ ନିଜ ଭୁଲ୍‌ ଘୋଡ଼ାଇବାକୁ ଯାଇ ରମା ଦେବୀଙ୍କୁ ଭଉଣୀ ସଦୃଶ ବୋଲି କହିଥିଲେ। କିନ୍ତୁ ଆଜମ ଖାନ୍‌ଙ୍କର ଏହି ବୟାନକୁ ଗୃହରେ ଜୋରଦାର ବିରୋଧ କରାଯାଇଥିଲା। ବିଜେପି ନେତାମାାନେ ଆଜମ ଖାନ୍‌ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ପରେ ବାଚସ୍ପତି ଓମ୍‌ ବିର୍ଲ‌ା ମଧ୍ୟ ଆଜମ ଖାନ୍‌ଙ୍କୁ କ୍ଷମା ମାଗିବାକୁ କହିଥିଲେ।

ସମ୍ବନ୍ଧିତ ଖବର