ନୂଆଦିଲ୍ଳୀ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆମେରିକାରୁ ଭାରତକୁ ଆସିଲା ଫୋନ୍ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଫୋନ୍ କରିଛନ୍ତି ଆମେରିକା ବୈଦେଶିକ ସଚିବ । ପହଲଗାମ୍ ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୋବିଓ । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ।
ଆତଙ୍କବାଦ ବିରୋଧ ଲଢେଇରେ ଆମେରିକା ଭାରତ ସହ ଥିବା କହିଛନ୍ତି ରୋବିଓ । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ମଧ୍ୟ ଫୋନ୍ କରି କଥା ହୋଇଛନ୍ତି ଆମେରିକା ବୈଦେଶିକ ସଚିବ । କ୍ଷେତ୍ରୀୟ ସ୍ଥିତି ନେଇ ଆମେରିକାକୁ ଜଣାଇଛନ୍ତି ସେହବାଜ୍ ସରିଫ୍ । ଉତ୍ତେଜନାକୁ ଭାରତ ଉସକାଉଥିବା ସେ ଅଭିଯୋଗ କରିଛନ୍ତି । ଆତଙ୍କବାଦ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମାର୍କୋ ରୋବିଓ । ତଦନ୍ତରେ ସହଯୋଗ ପାଇଁ ସେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଛନ୍ତି । ଉତ୍ତେଜନା କମାଇବା ପାଇଁ ଦୁଇ ଦେଶକୁ ଅପିଲ୍ କରିଛନ୍ତି ଆମେରିକା ବୈଦେଶିକ ସଚିବ ।