ରୁଚିକା ଆତ୍ମହତ୍ୟା ମାମଲାରେ ଏନ୍‌ଏଚ୍‌ଆର୍‌ସିଙ୍କ ହସ୍ତକ୍ଷେପ: ଉଚ୍ଚ ଶିକ୍ଷା ବିଭାଗ ଓ ସିପିଙ୍କଠାରୁ ରିପୋର୍ଟ ତଲବ

ନୂଆଦିଲ୍ଲୀ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ଭୁବନେଶ୍ବର କମିସନର ଅଫ୍‌ ପୋଲିସ (ସିପି)ଙ୍କ ଠାରୁ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଉପରୋକ୍ତ ଦୁଇ ଅଧିକାରୀଙ୍କୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ପିଟିସନରେ ଶ୍ରୀ ତ୍ରିପାଠୀ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଂ ଉପରେ ସଂପୂର୍ଣ୍ଣ ଅଙ୍କୁଶ ଲଗାଇବା ସହିତ ଶିକ୍ଷାନୁଷ୍ଠାନଗୁଡିକରେ ଉତ୍ତମ ପରିବେଶ ଓ ବାତାବରଣ ସୁନିଶ୍ଚିତ କରିବା ନେଇ ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପିଟିସନ୍‌କୁ ବିଚାରକୁ ନେଇ ଆୟୋଗ ଦୁଇ ଅଧିକାରୀଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଚଳିତ ମାସ ୨ ତାରିଖରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ। ୩ ସିନିୟର୍‌ ଛାତ୍ରୀଙ୍କ ମାନସିକ ନିର୍ଯାତନା କାରଣରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର