ବିହାର: ବିହାରର ସାସାରାମ ଭୋଟ୍ ଗଣତି କେନ୍ଦ୍ରରେ ହୋଇଥିବା ହଙ୍ଗାମା ପରେ ନିର୍ବାଚନ କମିସନ କଡ଼ା ପଦକ୍ଷେପ ନେଇଛନ୍ତି । ଚେନାରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଛି। ରିଟର୍ଣ୍ଣିଂ ଅଫିସର ଲଳିତ ଭୂଷଣ ରଞ୍ଜନଙ୍କ ସ୍ଥାନରେ ଜାଫର ହସନଙ୍କୁ ନିଯୁକ୍ତି ଦିଆଯାଇଛି। ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୋଦ ସିଂହ ଗୁଞ୍ଜିୟାଲ ଆଜି ଅପରାହ୍ନ ୪ଟାରୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ରୋହତାସର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିହାର ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ସମେତ ସମସ୍ତ ନିର୍ବାଚନୀ କାର୍ଯ୍ୟରୁ ଲଳିତ ଭୂଷଣ ରଞ୍ଜନଙ୍କୁ ମୁକ୍ତ ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।
ବୁଧବାର ବିଳମ୍ବିତ ରାତିରେ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ରୋହତାସ ଜିଲ୍ଲାର ମୁଖ୍ୟାଳୟ ସାସାରାମସ୍ଥିତ ତାକିଆ ବଜାର କମିଟିର ଫାଟକ ନିକଟରେ ଇଭିଏମ୍ ହେରଫେର ଅଭିଯୋଗରେ ହଙ୍ଗାମା କରିଥିଲେ। ପ୍ରାର୍ଥୀମାନେ ଅଭିଯୋଗ କରିଥିଲେ ଯେ ଷ୍ଟ୍ରଙ୍ଗ୍ ରୁମ୍ ଭିତରେ ଯେଉଁଠାରେ ଇଭିଏମ୍ ରଖାଯାଇଥିଲା, ସେଠାରେ ଓ ମୁଖ୍ୟ ଫାଟକରେ ସିସିଟିଭି ବନ୍ଦ କରାଯାଇଥିଲା। ଏହି ସମୟରେ ଏକ ଟ୍ରକ୍ ଭିତରକୁ ଆସି ପ୍ରାୟ ୩ ଘଣ୍ଟା ପରେ ବାହାରକୁ ଯାଇଥିବା ଅଭଯୋଗ ହୋଇଥିଲା ଏବଂ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହା ପରେ ଚେନାରୀ ସମେତ ରୋହତାସ ଜିଲ୍ଲାର ସମସ୍ତ ସାତୋଟି ବିଧାନସଭା ନିର୍ବାଚନମଣ୍ଡଳୀର ଅଧିକାଂଶ ପ୍ରାର୍ଥୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କ ସମର୍ଥକମାନେ ଭଙ୍ଗାରୁଜା ଆରମ୍ଭ କରିଥିଲେ। ତେବେ ପୁଲିସ ବାହିନୀ ଲାଠିଚାର୍ଜ କରି ଭିଡ଼କୁ ହଟାଇଥିଲା। ଅନ୍ୟପକ୍ଷରେ ଡିଏମ୍ ତାଙ୍କ ବିବୃତିରେ ଟ୍ରକ୍ରେ ଇଭିଏମ୍ ଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/14/untitled-1-2025-11-14-05-40-34.jpg)