ଅଯୋଧ୍ୟା : ଆଜି ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି ପରିସରରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ ସହ ମନ୍ଦିର ନିର୍ମାଣ ପ୍ରକ୍ରିୟାର ଶାସ୍ତ୍ରୀୟ ଶୁଭାରମ୍ଭ କରାଯଇଛି । ଭାଗବାନ ରାମ ପ୍ରତି ମହତ୍ତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଭଗବାନ ଶିବଙ୍କ ଆରାଧନା କରୁଥିବାରୁ ସେହି ପରମ୍ପରା ଅନୁସାରେ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରଥମେ ଋଦ୍ରାଭିଷେକ କରାଯାଇଛି ।

Advertisment

ରାମ ଜନ୍ମଭୂମି ପରିସରରେ ଥିବା କୁବେର ଟିଲାସ୍ଥିତ ଶିବ ମନ୍ଦିରରେ ଏହି ରୁଦ୍ରାଭିଷେକ କରାଯାଇଛି । ଏଥିରେ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ପୌରୋହିତ୍ୟ କରିଥିଲେ । ନିର୍ବିଘ୍ନରେ ରାମ ମନ୍ଦିର ନିର୍ମାଣ, ବିଶ୍ୱ ଶାନ୍ତି ଓ ବିଶ୍ୱରୁ କରୋନା ମହାମାରୀ ଦୂର ହେବା ଲାଗି ଏହି ଅନୁଷ୍ଠାନ କରାଯାଇଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଟ୍ରଷ୍ଟର ମୁଖପାତ୍ର କେଏନ ଦାସ କହିଛନ୍ତି ଯେ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ମନ୍ଦିର ନିର୍ମାଣ ସମ୍ପର୍କରେ ଅବଗତ କରାଯିବ । ଏହା ପରେ ଭିତ୍ତିପ୍ରସ୍ତର ସ୍ଥାପନ ତାରିଖ ସ୍ଥିର କରାଯିବ । ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାର ଯୋଜନା ଥିଲେ ମଧ୍ୟ କରୋନା ମହାମାରୀ ଯୋଗୁଁ ପ୍ରଧାନମନ୍ତ୍ରୀ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି ବୋଲି ସେ କହିଛନ୍ତି ।
ଗତ ମାର୍ଚ୍ଚମାସରେ ରାମଲାଲାଙ୍କୁ ଜନ୍ମଭୂମି ପରିସରରୁ ହଟାଇ ଏକ ଅସ୍ଥାୟୀ ସ୍ଥାନକୁ ନିଆଯାଇଥିଲା । ଏହା ପରେ ସଂପୃକ୍ତ ଭୂମିର ସମତଳିକରଣ କାର୍ଯ୍ୟ କରାଯାଇଥିଲା ।