ଉତ୍ତରାଖଣ୍ଡ ଦୁର୍ଘଟଣା : ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ମିଳିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡାକ୍ତରଖାନା ଯାଇ ଆହତଙ୍କୁ ଭେଟିଛନ୍ତି ।

ସୂଚନାଯୋଗ୍ୟ ଯେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ରତୋଲି ନିକଟରେ ଋଷିକେଶ-ବଦ୍ରିନାଥ ରାଜପଥରେ ୨୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ନଦୀରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ସୂତ୍ରରୁ ପ୍ରକାଶ ଯେ ଏହି ଦୁର୍ଘଟଣାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକମାନେ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ଗାଡିଟି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାଠାରୁ ପ୍ରାୟ ୫୦୦ ମିଟର ତଳକୁ ଅଲକାନନ୍ଦା ନଦୀକୁ ଖସି ପଡ଼ିଥିଲା।

ଏସଡିଆରଏଫର ସୂଚନା ଅନୁଯାୟୀ, ଉଦ୍ଧାରକାରୀ ଓ ରିଲିଫ ଟିମ୍ ଘଟଣାସ୍ଥଳରେ ଗଭୀର ଘାଟି ଯୋଗୁଁ ମୃତଦେହ ଓ ଆହତମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଦୁର୍ଘଟଣା ସମୟରେ ଜଣେ ମହିଳାଙ୍କୁ ଗାଡ଼ିରୁ ଛିଟକି ପଡ଼ି ପ୍ରାୟ ୮୦ ମିଟର ତଳେ ଥିବା ବୁଦାରେ ଲଟକି ରହିଥିଲେ। ଏସଡିଆରଏଫ୍ ଯବାନମାନେ ତାଙ୍କୁ ସୁରକ୍ଷିତ ଭାବେ ବାହାର କରି ଡାକ୍ତରଖାନା ପଠାଇଥିଲେ ।

ସମ୍ବନ୍ଧିତ ଖବର