୧୫ ଯୋଡା ଟ୍ରେନ ପାଇଁ ଟିକେଟ ବୁକିଂ ପଦ୍ଧତିରେ ସଂଶୋଧନ କଲା ଭାରତୀୟ ରେଳ

ନୂଆଦିଲ୍ଲୀ: ମେ’ ୧୨ରୁ ଭାରତୀୟ ରେଳ ପକ୍ଷରୁ ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । ଯାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ସ୍ଵତନ୍ତ୍ର ଟ୍ରେନଗୁଡିକର ବୁକିଂ ନିୟମାବଳୀରେ କେତେକ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ।ଏହିସବୁ ଟ୍ରେନ ପାଇଁ ଆଗୁଆ ସଂରକ୍ଷଣ ଅବଧି ୭ ରୁ ୩୦ଦିନକୁ ବୃଦ୍ଧି କରାଯାଇଛି । ଏହିସବୁ ଟ୍ରେନରେ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ । ଆରଏସି ଓ ୱେଟିଙ୍ଗ ଲିଷ୍ଟ ଟିକଟ ଆବଶ୍ୟକ ନିୟମାନୁସାରେ ହେବ । ତେବେ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାଟ ଓ ୨ ଘଣ୍ଟା ପୂର୍ବରୁ ଦ୍ଵିତୀୟ ଚାଟ ବାହାରିବ ।

ପ୍ରଥମ ଓ ଦ୍ଵିତୀୟ ଚାଟ ଅବଧି ମଧ୍ୟରେ କରେଣ୍ଟ ବୁକିଂ ହୋଇପାରିବ । ଡାକଘର ସମେତ କମ୍ପ୍ୟୁଟରୀକୃତ ପିଆରଏସ କାଉଣ୍ଟରରେ ବୁକିଂ ହୋଇପାରିବ । ଏହାଛଡା ଲାଇସେନ୍ସ ପ୍ରାପ୍ତ ଯାତ୍ରୀ ସୁବିଧା ଟିକେଟ କେନ୍ଦ୍ର ଏବଂ ଅନଲାଇନ ଟିକେଟ, ସ୍ଵୀକୃତପ୍ରାପ୍ତ ଆଇଆରସିଟିସି ଏଜେଣ୍ଟ ଓ କମନ ସର୍ଭିସ ସେଣ୍ଟରରେ ମଧ୍ୟ ଟିକଟ ବୁକିଂ ହୋଇପାରିବ । ଏହି ନିୟମାବଳୀ ୨୪ ମେ’ ଠାରୁ ହେବାକୁ ଥିବା ଟିକେଟ ବୁକିଂ ଏବଂ ୩୧ ମେ’ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଲାଗୁ ହେବ ।

ସମ୍ବନ୍ଧିତ ଖବର