ଏଆଇଏଡିଏମ୍‌କେରେ ଶଶୀକଳାଙ୍କର କୌଣସି ସ୍ଥାନ ନାହିଁ: ବିଜେପିକୁ କହିଲେ ଦଳୀୟ ନେତା

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜେଲରୁ ମୁକୁଳି ଥିବା ଭି କେ ଶଶୀକଳାଙ୍କୁ କେନ୍ଦ୍ର କରି ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇବା ସହ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଚାଲିଥିଲା। କାରଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ସୁପ୍ରିମୋ ସ୍ୱର୍ଗତ ଜେ ଜୟଲଳିତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ଶଶୀକଳା। ଏଆଇଏଡିଏମ୍‌କେରେ ଦଳ ମଧ୍ୟରେ ମଧ୍ୟ ତାଙ୍କର ଯଥେଷ୍ଟ ଦବଦବା ରହିଥିଲା। ତେବେ, ଜୟଲଳିତାଙ୍କ ଅବର୍ତ୍ତମାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯିବାପରେ ଏଆଇଏଡିଏମ୍‌କେରୁ ଶଶୀକଳାଙ୍କୁ ବହିଷ୍କାର କରିଥିଲେ ଦଳୀୟ ନେତା। ତଥାପି ଦଳ ଭିତରେ ତାଙ୍କ ସମର୍ଥକଙ୍କ ସଂଖ୍ୟା କିଛି କମ୍‌ ନଥିଲା।

ଏପରିସ୍ଥିତିରେ ଜେଲରୁ ମୁକୁଳିବା ପରେ ଶଶୀକଳା ତାଙ୍କ ସମର୍ଥକମାନଙ୍କୁ କହିଥିଲେ, ଏବେ ମୁଁ ଆସିଗଲି ଦେଖ ଆଗକୁ କ’ଣ ହେଉଛି? ତେଣୁ, ଆଗକୁ ନିର୍ବାଚନ ରହିଥିବାରୁ ଶଶୀକଳା ପୁଣି ଥରେ ଏଆଇଏଡିଏମ୍‌କେ ସାମିଲ ହୋଇ ତାମିଲନାଡୁ ରାଜନୀତିରେ ସକ୍ରିୟ ହେବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଶଶୀକଳା ଜେଲରୁ ଫେରିବା ପରେ ଏଆଇଏଡିଏମ୍‌କେର କିଛି ନେତାଙ୍କ ଆଖିରୁ ନିଦ ହଜି ଯାଇଥିବା ବେଳେ ବିଜେପି ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। କାରଣ, ତାମଲନାଡୁରେ ଶାସକ ଏଆଇଏଡିଏମ୍‌କେ ସହ ବିଜେପିର ମେଣ୍ଟ ରହିଛି। ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ସେମାନଙ୍କର ମେଣ୍ଟ ବଜାୟ ରହିବ।

ଏ ପରିସ୍ଥିତିରେ ବିଜେପି ଆଜି ଯେତେବେଳେ ଏଆଇଏଡିଏମ୍‌କେ ଓ ମେଣ୍ଟରେ ଶଶୀକଳାଙ୍କ ସ୍ଥିତି ସଂପର୍କରେ ଜାଣିବାକୁ ଚାହିଁଥିଲା ସେତେବେଳେ ଉଭୟ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପାନେରସେଲଭାମ ସ୍ପଷ୍ଟ କରି ଦେଇଛନ୍ତି ଯେ ଶଶୀକଳାଙ୍କ ଏଆଇଏଡିଏମକେ ସହ କିମ୍ବା ତାଙ୍କ ପୁତୁରା ଟିଟିଭି ଦୀନାକରନ୍‌ଙ୍କ ନେତୃତ୍ୱାଧୀନ ଆମ୍ମା ମକ୍କାଲ୍‌ ମୁନ୍ନେତ୍ରା କାଜଗାମର ମେଣ୍ଟ ସହ କୌଣସି ପ୍ରକାରର ସମ୍ପର୍କ ନାହିଁ।

ସମ୍ବନ୍ଧିତ ଖବର